ଚାନ୍ଦା ଆଦାୟ କଲେ ଘରେ ଛାଡିଲେ ! କାଶ୍ମୀରର ୩୨ ଜଣ ଛାତ୍ରୀଙ୍କ ପାଇଁ ଦେବଦୂତ ପାଲଟିଲେ ୩ ପଞ୍ଜାବୀ ଯୁବକ,ସୋସିଆଲ୍ ମିଡିଆରେ ମିଳିଲା ବଜରଙ୍ଗୀ ଭାଇଜାନ୍ ର ଆଖ୍ୟା ।

428

ଆପଣ ବଲିଉଡ୍ ସିନେମା “ବଜରଙ୍ଗୀ ଭାଇଜାନ୍” ତ ନିଶ୍ଚୟ ଦେଖିଥିବେ । କିଭଳି ସିନେମାରେ ଜଣେ ପାକିସ୍ତାନୀ କୁନିଝିଅ ଭୁଲବଶତଃ ଭାରତରେ ହଜିଯାଉଛି ଏବଂ ସିନେମାର ନାୟକ ଅନେକ ସମସ୍ୟା ଦେଇ ଝିଅଟିକୁ କିପରି ଭାବେ ଘରେ ପହଁଚାଉଛି ଏହା ଉପରେ ସିନେମାଟି ପର୍ଯ୍ୟବେସିତ ଥିଲା । ଏବେ ଏହି ସିନେମା ଭଳି ଅନୁରୂପ ଚିତ୍ର ଦେଖିବାକୁ ମିଳୁଛି ସୋସିଆଲ୍ ମିଡିଆରେ । ଆଜ୍ଞା ହଁ , ଏ କୌଣସି କାଳ୍ପନିକ ସିନେମା ନୁହଁ ବାସ୍ତବରେ ଜମ୍ମୁ-କାଶ୍ମୀରରେ ଘଟିଛି ଏହି ଘଟଣା ।

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ରାଜ୍ୟ ବାହାରେ ନର୍ସିଙ୍ଗ୍ ପାଠ ପଢୁଥିବା ୩୨ ଜଣ ଛାତ୍ରୀ କାଶ୍ମୀର ପରିସ୍ଥିତିକୁ ନେଇ ଖୁବ୍ ଚିନ୍ତିତ ଥିଲେ । କିଭଳି ନିରାପଦରେ ଘରକୁ ଫେରି ଘରଲୋକଙ୍କୁ ଦେଖାକରିବେ ଏହି ଚିନ୍ତାରେ ଥିଲେ ୩୨ ଛାତ୍ରୀ । ଫେସବୁକ୍୍ ରୁ ଏହି ଛାତ୍ରୀମାନେ ୩ ଜଣ ପଞ୍ଜାବୀ ବନ୍ଧୁଙ୍କ ବିଷୟରେ ପଢି ସାହାଯ୍ୟ ସକାଶେ ତାଙ୍କ ସହ ସଂପର୍କ କରିଥିଲେ । ଦିଲ୍ଲୀର ଏହି ତିନି ପଞ୍ଜାବୀ ଯୁବକ ହରମିନ୍ଦର ସିଂହ ଆଲୁୱାଲିୟା , ଅରମିତ୍ ସିଂହ ଏବଂ ବଲଜିତ୍ ସିଂହ ୩୨ ଜଣ ଛାତ୍ରୀଙ୍କ ସୁରକ୍ଷାର ଦାୟିତ୍ୱ ନିଜ ଉପରକୁ ନେଇ ତାଙ୍କୁ ନିରାପଦ ଭାବରେ ଘରେ ପହଁଚାଇଥିଲେ ।

ଏହି ତିନି ବନ୍ଧୁ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ ଯେ , “ ଏହି ଛାତ୍ରୀମାନେ ପ୍ରଥମ ଥର ପାଇଁ କାଶ୍ମୀର ଛାଡି ବାହାରକୁ ଆସିଥିଲେ । ସୋସିଆଲ୍ ମିଡିଆରେ କାଶ୍ମୀରର ପରିସ୍ଥିତି ଦେଖି ସମସ୍ତେ ଚିନ୍ତିତ ହୋଇ ସେମାନଙ୍କ ପାଖକୁ ସଂପର୍କ କରିଥିଲେ । ଧାରା ୩୭୦ ହଟିବାକୁ ନେଇ ସବୁ ଛାତ୍ରୀ ଖୁବ୍ ଡରିଯାଇଥିଲେ । ” ସେମାନଙ୍କୁ ଭଲରେ ଭଲରେ ଘରେ ପହଁଚାଇବା ପାଇଁ ଏହି ତିନି ଯୁବକ ଚାନ୍ଦା ଆଦାୟ କରି ବିମାନ ଟିକେଟ୍ କିଣିଥିଲେ । କିନ୍ତୁ କଥା ସେତିକିରେ ସରିନଥିଲା । ଆଗକୁ ବାଟ ଆହୁରି ଜଟିଳ ହୋଇପଡିଥିଲା । ଯାହାର ମୁଖ୍ୟ କାରଣ ଥିଲା କାଶ୍ମୀରର ଫୋନ୍ ଏବଂ ଇଣ୍ଟରନେଟ୍ ସେବା । କିଛି ଦିନରୁ ଠପ୍ ହୋଇପଡିଥିବା ଫୋନ୍ ଏବଂ ଇଣ୍ଟରନେଟ୍ ସେବା ଏବଂ କାଶ୍ମୀରର ଗମ୍ଭୀର ପରିସ୍ଥିତି ଯୋଗୁଁ ଲୋକ ଘରୁ ମଧ୍ୟ ବାହାରକୁ ବାହାରୁନଥିଲେ । କିନ୍ତୁ ଏହି ୩ ବନ୍ଧୁ ସଂକଟକୁ ଦେଖି ପଛଘୁଞ୍ଚା ନଦେଇ ଏହାର ସାମ୍ନା କରିଥିଲେ । ପ୍ରଥମେ ଛାତ୍ରୀମାନଙ୍କୁ ଦିଲ୍ଲୀ ଏହାପରେ ଶ୍ରୀନଗର ପଠାଗଲା । ଅନେକ ଛାତ୍ରୀ ସୋପିୟାଁ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଥିଲେ । ସବୁ ଛାତ୍ରୀଙ୍କୁ ଜଣ ଜଣକରି ଏହି ଯୁବକମାନେ ତାଙ୍କ ଘରେ ପହଁଚାଇଥିଲେ ।

ନିଜ ପିଲାମାନଙ୍କ ଚିନ୍ତାରେ ବାପା ମା’ ମଧ୍ୟ ଭାଙ୍ଗି ପଡିଥିଲେ । ଏଭଳି ପରିସ୍ଥିତିରେ ସେମାନେ ଯେତେବେଳେ ନିଜ ଝିଅଙ୍କୁ ଆଖି ସାମ୍ନାରେ ଦେଖିଲେ ସେ ସମୟର ଦୃଶ୍ୟ କିଛି ଭିନ୍ନ ହିଁ ଥିଲା । ନିଜ ପିଲାକୁ ଜାବୁଡି ଧରି ଭଗବାନ ଏବଂ ଭଗବାନଙ୍କ ଏହି ଦୁତଙ୍କୁ ଶତ ଶତ ପ୍ରଣାମ କରିଥିଲେ ବାପା ମା’ । ସେତେବେଳର ସେହି ହୃଦସ୍ପର୍ଶୀ ଚିତ୍ର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଆଉ ଲୋକମାନେ ଏହି ତିନି ଯୁବକଙ୍କ ବିଚାରଧାରାକୁ ସଲାମ୍ କରୁଛନ୍ତି ।