ଜୈଶ୍ ଉପରେ ଆଉ ଏକ ପ୍ରହାର ! ସୋପିଆଁରେ ସେନା ଗୁଳିରେ ୨ ଆତଙ୍କବାଦୀ ମୃତ

147

କନକ ବ୍ୟୁରୋ : ପିଓକେରେ ଥିବା ଜୈଶର ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତର ବାୟୁସେନା ହମଲା ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ସୀମା ସ୍ଥିତ ସେନା ପୋଷ୍ଟ ଓ ସୀମାବର୍ତି ଗାଁ ଉପରେ ପାକିସ୍ତାନୀ ସେନା ଗୁଳି ଓ ମୋର୍ଟାର ମାଡ କରିଛି । ଜାମ୍ମୁକାଶ୍ମୀର ସୀମାର ୧୫ଟି ଜାଗାରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଥିବା ଜଣାପଡିଛି । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଛାନିଆ ହୋଇଯାଇଥିବା ପାକିସ୍ତାନ ସିଆଲକୋଟରେ ଟ୍ୟାଙ୍କ ଦ୍ୱାରା ଆକ୍ରମଣ କରିଥିବା ସୂଚନା ମିଳିଛି ।

ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଛି । ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିବାର ଦିନେ ପରେ ଆଜି ସୋପିଆଁରେ ପାକିସ୍ତାନ ପଟୁ ଲଗାତାର ଗୁଳିବର୍ଷା କରାଯାଉଛି । ଭାରତୀୟ ସେନା ଗୁଳିରେ ଜୈଶ-ଏ-ମହମ୍ମଦର ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଫଳରେ ପାକିସ୍ତାନ ସେନାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଜାମ୍ମୁକଶ୍ମୀରର ନୌସେରା, ଅଖନୁର, ପୁଂଛ ଓ କୃଷ୍ଣା ଘାଟିରେ ପାକିସ୍ତାନ ସେନା ଗୁଳି ମାଡ କରିଛନ୍ତି । ତେବେ ଏହି ଗୁଳି ବିନିମୟରେ ଭାରତର ୧୦ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୫ଟି ପୋଷ୍ଟ ନଷ୍ଟ ହୋଇଛି । ସୀମା ଅଂଚଳରେ ରାଜୌରୀର ୫କିଲୋମିଟର ଭିତରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ଏହାସହ କେତେକ ପରୀକ୍ଷା ମଧ୍ୟ ବାତିଲ କରିଦିଆଯାଇଛି ।