କଡାସୁରକ୍ଷା ମଧ୍ୟରେ ଘାଟିରେ ଚାଲିଛି ଇଦ୍: ଲୋକେ ବାହାରକୁ ବାହାରି କଲେ ନମାଜ ପାଠ; ଜମ୍ମୁରେ ବହୁ ଲୋକଙ୍କ ସମାଗମ ଉପରେ କଟକଣା

ହଟିଲା ୧୪୪ ଧାରା, ଆରମ୍ଭ ହେଲା ଫୋନ ସେବା

361

କନକ ବ୍ୟୁରୋ: ସାରା ଦେଶରେ ଆଜି ପାଳିତ ହେଉଛି ଇଦ୍-ଉଲ୍-ଜୁହା । ଇଦକୁ ଆଖିରେ ରଖି କଶ୍ମୀରରେ କଟକଣାକୁ କୋହଳ କରାଯାଇଛି । କଡା ସୁରକ୍ଷା ଭିତରେ ଜମ୍ମୁକଶ୍ମୀରରେ ପାଳିତ ହେଉଛି ଇଦ୍ ପର୍ବ । ଜମ୍ମୁକଶ୍ମୀରର ବିଭିନ୍ନ ଅଂଚଳର ମସଜିଦରେ ସମୂହ ନମାଜ ପାଠ କରୁଛନ୍ତି ମୁସଲମାନ ଶ୍ରଦ୍ଧାଳୁ । ହେଲେ ଘାଟିର ବଡ ବଡ ମସଜିଦରେ ବହୁ ଲୋକଙ୍କ ସମାଗମ ଉପରେ କଟକଣା ଲଗାଯାଇଛି ।

ପ୍ରବଳ ଲୋକ ଗହଳିର ଫାଇଦା ଉଠାଇ ଅସମାଜିକ ବ୍ୟକ୍ତି କିଛି ଅଘଟଣ କରିବା ଆଶଙ୍କା କରିଛି ପ୍ରଶାସନ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରୀ କଡା କଡି କରାଯାଇଛି । ବକରୀ ଇଦ୍ ପାଇଁ ଶ୍ରୀନଗର ସହରରେ ୬ମଣ୍ଡି ବଜାର ବସାଇବା ସହ ଅଢେଇ ଲକ୍ଷ ବକରୀ ଯୋଗାଇ ଦିଆଯାଇଛି । ପନିପରିବା, କୁକୁଡା, ଅଣ୍ଡା, ଗ୍ୟାସ ସିଲିଣ୍ଡର ହୋମ ଡେଲିଭରି କରିବା ପାଇଁ ଗାଡି ମଧ୍ୟ ଯୋଗାଇଦେଇଛି ପ୍ରଶାସନ । ଏହାଛଡା ମୋବାଇଲ ଇଂଟରନେଟ ବନ୍ଦ ଥିବାରୁ ପ୍ରିୟଜନଙ୍କ ସହ କଥା ହେବା ପାଇଁ ୩୦୦ ଟେଲିଫୋନ ବୁଥ ମଧ୍ୟ ଲଗାଯାଇଛି ।

 

 

ସେପଟେ, ବକିରୀ ଇଦ୍ କିମ୍ବା ସ୍ୱାଧିନତା ଦିବସରେ ଆକ୍ରମଣ ପାଇଁ ଜୈସ ଆତଙ୍କବାଦୀ ପ୍ରସ୍ତୁତି ଚଲାଇଥିିବା ଗୁଇନ୍ଦା ସୂଚନା ମିଳିଛି । ଏହାକୁ ଆଖିରେ ରଖି ସୁରକ୍ଷା କର୍ମୀଙ୍କୁ ଅଲର୍ଟ କରାଯାଇଛି । ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ଏଥିପାଇଁ ଭାରତରେ ଆତଙ୍କୀ ହମଲା କରିବା ପାଇଁ ପ୍ରତିବନ୍ଧିତ ସଂଗଠନ ଜୈଶ-ଏ-ମହମ୍ମଦକୁ ସଂବୁଜ ସଙ୍କେତ ଦେଇଛି ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସଆଇ । ସୁରକ୍ଷା ଅଧିକାରୀ ସନ୍ଦେହ କରୁଛନ୍ତି, ଜୈଓ ଆତଙ୍କୀ କୌଣସି ମସଜିଦକୁ ଟାର୍ଗେଟ କରିପାରନ୍ତି । ଅଧିକ ମୃତାହତ ହେଲେ ଯେପରି ବିଶ୍ୱସ୍ତରରେ ଭାରତ ଉପରେ ଦୋଷ ଲଦି ପାରିବ ପାକିସ୍ତାନ । ସେପଟେ ଦକ୍ଷିଣ କଶ୍ମୀର ପୁଲିସର ସୂଚନା ଅନୁସାରେ ଜୈସର ସୁଇସାଇଡଲ ସ୍କ୍ୱାଡ ଅନନ୍ତନାଗର ହାଇୱେରେ ସାଧାରଣ ନାଗରିକ କିମ୍ବା ଆଖପାଖର ସୁରକ୍ଷା ପ୍ରତିଷ୍ଠାନ ଉପରେ ହମଲା କରିବାକୁ ପ୍ଲାନିଂ କରୁଛନ୍ତି ।