ଜମ୍ମୁ-କାଶ୍ମୀର ଲୋକଙ୍କୁ ପ୍ରଶାସନର ଭେଟି : ଆଜିଠାରୁ ୨୦ ଟି ଜିଲ୍ଲାରେ କୋହଳ ହେଲା ୨ ଜି ଇଣ୍ଟରନେଟ୍ ସେବା , ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏବେବି ବନ୍ଦ ।

124

ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କାଶ୍ମୀରର ଲୋକଙ୍କୁ ପ୍ରଶାସନ ବଡ଼ ଉପହାର ଭେଟି ଦେଇଛି । ଶୁକ୍ରବାର ଅଧରାତିରେ ଜମ୍ମୁ ଏବଂ କାଶ୍ମୀରର ୨୦ ଟି ଜିଲ୍ଲାକୁ ଇଣ୍ଟରନେଟ୍ ସେବା ପ୍ରଦାନ କରିଛି ପ୍ରଶାସନ । ତେବେ ଆଂଶିକ ରୂପରେ ଇଣ୍ଟରନେଟ୍ ସେବା ଏବେ ବି ଲୋକଙ୍କ ଉପରେ ପ୍ରଭାବ ପକାଇବ କାରଣ ଲୋକମାନେ ୩୦୧ ଟି ୱେବସାଇଟ୍ ହିଁ ବ୍ୟବହାର କରିବାର ଲାଭ ଉଠାଇପାରିବେ । ଏହାଛଡା ସୋସିଆଲ୍ ମିଡିଆ ଆପ୍ଲିକେସନ୍ ଉପରେ ମଧ୍ୟ ପ୍ରତିବନ୍ଧ ରହିଛି । ଜମ୍ମୁ-କାଶ୍ମୀର ପ୍ରଶାସନର ଗୃହବିଭାଗ ଅଧିସୂଚନା ମୁତାବକ , ମୋବାଇଲ୍ ଫୋନ୍ ରେ ୨ ଜି ସ୍ପୀଡ୍ ସହ ଇଣ୍ଟରନେଟ୍ ସୁବିଧା ମଧ୍ୟ ଚାଲୁ କରାଯାଇଛି । ତେବେ ଏଥିମଧ୍ୟରେ ଘାଟିର ଲୋକ ସୋସିଆଲ୍ ମିଡିଆ ସାଇଟ୍ ରେ ପହଁଚି ପାରିବେନି । ଯେଉଁ ୱେବସାଇଟକୁ ବ୍ୟବହାର କରିବା ପାଇଁ ମଞ୍ଜୁରୀ ଦିଆଯାଇଛି ତାହା ସର୍ଚ୍ଚ ଇଞ୍ଜିନ୍ , ବ୍ୟାଙ୍କିଙ୍ଗ୍ , ଶିକ୍ଷା , ସମାଚାର ,ଯାତ୍ରା , ସୁବିଧା ଏବଂ ରୋଜଗାର ସମ୍ବନ୍ଧିତ । ପୋଷ୍ଟ୍ ପେଡ୍ ତଥା ପ୍ରିପେଡ୍ ସିମ୍ କାର୍ଡରେ ଡାଟା ସୁବିଧା ଉପଲବ୍ଧ କରିବାର ସୁବିଧା ରହିଛି । ଆଦେଶରେ କୁହାଯାଇଛି ଯେ ମୋବାଇଲ୍ ଫୋନରେ ୨ ଜି ଇଣ୍ଟରନେଟ୍ ସୁବିଧା ଜାନୁଆରୀ ୩୧ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ ।

ସରକାରୀ ସୂତ୍ର ଅନୁସାରେ , ସୁରକ୍ଷା ଏଜେନ୍ସିରୁ ମିଳିଥିବା ରିପୋର୍ଟ ଏବଂ ପରିସ୍ଥିତିକୁ ପରଖିବା ପରେ ପ୍ରଶାସନ ଇଣ୍ଟରନେଟ୍ କୁ ସାମାନ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସବୁ ସେବାକୁ ଅଗଷ୍ଟ ୫ ତାରିଖରୁ ହିଁ ସ୍ଥଗିତ କରାଯାଇଥିଲା । ଯାହାପରେ ରାଜ୍ୟର ବିଭିନ୍ନ ସଂଗଠନ ଏନେଇ ସରକାରଙ୍କ ବିରୋଧ କରିଥିଲେ । ଗୁଜବ ପ୍ରସାରଣକୁ ବନ୍ଦ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ଇଣ୍ଟରନେଟ୍ ବନ୍ଦ ହେବା କାରଣରୁ ଘାଟିର ବିଭିନ୍ନ ବ୍ୟବସାୟିକ କ୍ଷେତ୍ରରେ ବି କ୍ଷତି ହେଉଥିଲା । ଏଭଳି ସ୍ଥିତିରେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ୨ ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିଛନ୍ତି । ତେବେ ସୁରକ୍ଷା ଏଜେନ୍ସି ଏବେ ବି ଏହା ଉପରେ କଡ଼ା ନଜର ରଖିଛନ୍ତି । ଫେସବୁକ୍ , ଟ୍ୱିଟର ଏବଂ ହ୍ୱାଟସଆପ୍ ଭଳି ପ୍ଲାଟଫର୍ମକୁ ଏପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ କରାଯାଇନାହିଁ ।