ଜାମ୍ମୁକାଶ୍ମୀର : ପୁଲୱାମା ଅଂଚଳରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ ଆତଙ୍କବାଦୀ ନିହତ ଓ ୨ ଜଣ ଫେରାର୍

27

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ପୁଣି ଆତଙ୍କବାଦୀ-ସୁରକ୍ଷାକର୍ମୀ ଏନକାଉଂଟର । ପୁଲୱାମା ଅଂଚଳରେ ହୋଇଥିବା ଏହି ଏନକାଉଂଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଅନ୍ୟ ୨ଜଣ ଆତଙ୍କୀ ଆହତ ଅବସ୍ଥାରେ ଖସି ପଳାଇବାରେ ସଫଳ ହୋଇଛନ୍ତି । ଲସ୍କର-ଇ-ତୋଇବାର ଅବୁ ଇସମାଇଲ ଗ୍ରୁପର ଆତଙ୍କବାଦୀ ଉମର ସେନା ଗୁଳିରେ ନିହତ ହୋଇଥିବା ଜଣାପଡିଛି । ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ, ଏସଓଜି ଓ ପୁଲିସ ମିଳିତ ଭାବରେ ଏହି ଅପରେସନରେ ସାମିଲ ହୋଇଥିଲେ । ଗତକାଲି ବିଳମ୍ବିତ ରାତିଯାଏଁ ଏହି ଗୁଳିବିନିମୟ ଜାରି ରହିଥିଲା ।

ଏହି ଘଟଣା ପରେ ପୁଲୱାମା ଅଂଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ରବିବାର ସଂଧ୍ୟାରେ ପୁଲୱାମାର ସମ୍ବୁରା ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଏସଓଜି ସ୍ଥାନୀୟ ଅଂଚଳରେ ଚଢାଉ ଆରମ୍ଭ କରିଥିଲେ । ପରେ ପରେ ସେନା ଉପରେ ଆତଙ୍କବାଦୀମାନେ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ । ସୁରକ୍ଷାକର୍ମୀ ଏହାର କଡା ଜବାବ ଦେଇଛନ୍ତି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆତଙ୍କବାଦୀ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଅଂଚଳରେ ଖାନତଲାସି ଜୋରଦାର କରାଯାଇଛି । ଘାଟିରେ ଇଂଟରନେଟ ସେବା ମଧ୍ୟ ବନ୍ଦ କରିଦିଆଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ସେନାର ଏହା ସପ୍ତମ ଅପରେସନ ।