ଜମ୍ମୁ ଓ କାଶ୍ମୀରରେ ଆଜି ପ୍ରଥମ ପର୍ଯ୍ୟାୟ ସ୍ଥାନୀୟ ନିର୍ବାଚନ । ଅପରାହ୍ଣ ୨ ଯାଏଁ ଚାଲିବ ଭୋଟ୍ ଗ୍ରହଣ ପ୍ରକ୍ରିୟା । ନିର୍ବାଚନରୁ ଦୂରେଇ ରହିବେ ନ୍ୟାସନାଲ କନଫେରେନ୍ସ ଓ ପିଡିପି

40

କନକ ବ୍ୟୁରୋ: ଜମ୍ମୁ ଓ କାଶ୍ମୀରରେ ମ୍ୟୁନିସପାଲ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ଦିନ ୨ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ । ମୋଟ୍ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାର ଅଛି । ୧୦ରେ ଦ୍ୱିତୀୟ ପର୍ଯ୍ୟାୟ, ୧୩ରେ ତୃତୀୟ ପର୍ଯ୍ୟାୟ ଓ ୧୬େରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଅକ୍ଟୋବର ୨୦ରେ ଭୋଟ୍ ଗଣତି କରାଯିବ ।

ରାଜ୍ୟର ଦୁଇ ପ୍ରମୁଖ ଦଳ ନ୍ୟାସନାଲ କନଫେରେନ୍ସ ଓ ପିଡିପି ଏହି ନିର୍ବାଚନରୁ ଦୂରେଇ ରହିବାକୁ ନିଷ୍ପତି ନେଇଛି । ଏନେଇ ଫାରୁକ୍ ଅବଦୁଲ୍ଲା ଓ ମେହବୁବା ମୁଫତି ଘୋଷଣା କରିସାରିଛନ୍ତି । ମ୍ୟୁନିସପାଲ ନିର୍ବାଚନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ କୌଣସି ପ୍ରକାର ଆତଂକବାଦୀ ଘଟଣାକୁ ଏଡ଼ାଇବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ବିଶେଷ କରି ନିର୍ବାଚନୀ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ସୌପିୟାନର କିଛି ଗାଁରେ ଆତଙ୍କବାଦୀ ଲୁଚିଥିବା ଖବର ପାଇବା ପରେ ସେନା ପକ୍ଷରୁ ତଲାସି ଅଭିଯାନ ଆରମ୍ଭ ହୋଇଛି । ଡୋର ଟୁ ଡୋର ସର୍ଚ୍ଚ ଅନରେସନ ଚଳାଇଛି ସୁରକ୍ଷାବାହିନୀ । ନିର୍ବାଚନୀ କ୍ଷେତ୍ର ସମେତ ସହର ବଜାର ସୁବୁଆଡେ ତନ୍ନ ତନ୍ନ କରି ଯାଂଚ କରାଯାଉଛି । ଜମ୍ମୁ ଓ ଲଦାଖ ବ୍ୟତିତ ଦକ୍ଷିଣ କାଶ୍ମୀରର ୪ଟି ଜିଲ୍ଲା ଅତି ସମ୍ବେଦନଶୀଳ ରହିଛି । ଏହି ଅଂଚଳରେ ଦୁଇଦିନ ହେଲା ଇଂଟରନେଟ ସେବାକୁ ବନ୍ଦ ରଖାଯାଇଛି ।