ଆତଙ୍କବାଦୀଙ୍କ ନିସ୍ତାର ନାହିଁ ! ଜୋରଦାର ହେଲା ଅପରେସନ ଅଲଆଉଟ, ନିପାତ ପାଇଁ କାଶ୍ମୀରରେ ପହଞ୍ଚିଲେ ଏନଏସଜି କମାଣ୍ଡୋ

24

କନକ ବ୍ୟୁରୋ: ଆତଙ୍କବାଦୀ ନିପାତ ଅପରେସନରେ ସାମିଲ ହେବେ ଏନଏସଜି ଟିମ୍ । ବ୍ଲାକ୍ କ୍ୟାଟ୍ ଭାବରେ ପରିଚିତ ଥିବା ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରାପ୍ତ ଏହି ଯବାନମାନେ ଆତଙ୍କବାଦୀ ବିରୋଧୀ ଅପରେସନରେ ଯୋଗଦେବେ । ସୂଚନା ଅନୁସାରେ ଏନଏସଜିର ଗୋଟିଏ ଟିମ୍ ବର୍ତମାନ କାଶ୍ମୀର ଉପତ୍ୟକାରେ ଥିବା ବେଳେ ଏମାନେ ଏହି ଅପରେସନରେ ଯୋଗଦେବେ । ମେଂଟ ସରକାର ଭାଙ୍ଗିବା ପରେ ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଆରମ୍ଭ ହୋଇଛି ।

ସେପଟେ ସେନା ଅପରେସନ୍ ଅଲଆଉଟକୁ ବି ଜୋରଦାର କରିଛି । ବ୍ଲାକ୍ କ୍ୟାଟ୍ ଅପରେସନ୍ ଆତଙ୍କବାଦୀଙ୍କ ଗତିିବିଧିକୁ ରୋକିବାରେ ସହାୟକ ହେବ । ତେଣୁ ଏନେଇ ଚିନ୍ତା କରାଯାଉଥିବା କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବଡ ବଡ ଆତଙ୍କବାଦୀ ଅପରେସନରେ ଏହି ଏନଏସଜି କମାଣ୍ଡୋମାନେ ସାମିଲ ହୋଇ, ସଫଳତାର ସହ ଅପରେସନ୍ ଶେଷ କରିଛନ୍ତି । ପୂର୍ବରୁ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ପଠାନକୋଟ୍ ହମଲା ଏବଂ ଅକ୍ସରଧାମ୍ ମନ୍ଦିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଭଳି ଘଟଣାରେ ଏନଏସଜି ଅପରେସନ୍ ହୋଇଥିଲା ।

ଅନ୍ୟପଟେ, ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ରାଜ୍ୟପାଳ ଏନଏନ ଭୋରା ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି । ଏଥିରେ ନିର୍ବାଚିତ ସରକାରର ପତନ ପରେ ବର୍ତମାନର ପରିସ୍ଥିତି ଉପରେ ଆଲୋଚନା ହେବ । ମଙ୍ଗଳବାର ଦିନ ବିଜେପିର ସମର୍ଥନ ପ୍ରତ୍ୟାହାର ପରେ ରାଜ୍ୟରେ ମେହବୁବା ମୁଫତି ସରକାରର ପତନ ଘଟିଥିଲା । ଏହାପରେ ବୁଧବାର ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା । ମେହବୁବା ସରକାର ପତନ ପରେ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବା ଆଶଙ୍କା ଦେଖାଦେଇଛି । ଏହାଛଡା ଆସନ୍ତା ସପ୍ତାହରୁ ଅମରନାଥ ଯାତ୍ରା ବି ଆରମ୍ଭ ହେଉଛି । ଆଜିର ସର୍ବଦଳୀୟ ବୈଠକରେ ଘାଟିର ବିଭିନ୍ନ ଆଂଚଳିତ ଦଳ ସହ ଜାତୀୟ ଦଳ ବି ସାମିଲ ହେବେ । ରାଜଭବନରେ ଆଜି ସନ୍ଧ୍ୟାରେ ଏହି ବୈଠକ ହେବ ।