ସରକାର ବିରୋଧରେ ସ୍ୱର ଉଠାଇଲେ, ଚାକିରୀ ଚାଲିଗଲା । ଫେସବୁକରେ ଜଣେ ଡାକ୍ତରଙ୍କ ବିବାଦୀୟ ପୋଷ୍ଟିଂ

31

ସରକାରଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ମହଙ୍ଗା ପଡିଛି ଜଣେ ସରକାରୀ କର୍ମୀଙ୍କୁ । ଏହି ସରକାରୀ କର୍ମୀ ଜଣକ ହେଲେ ଜମ୍ମୁର ରାଜକୀୟ ମେଡିକାଲ କଲେଜର ଡାକ୍ତର ଅମିତ କୁମାର । ସୋସିଆଲ୍ ମିଡିଆ ଫେସବୁକ୍ ସାଇଟରେ ସରକାର ବିରୋଧୀ ମନ୍ତବ୍ୟ ଦେଇ ଏହି ଡାକ୍ତର ଜଣଙ୍କ ନିଜ ଚାକିରୀରୁ ବରଖାସ୍ତ ହୋଇଛନ୍ତି । ଡାକ୍ତର ଅମିତ୍ କଲେଜର ଏନେସ୍ଥେସିଆ ବିଭାଗରେ ରେଜିଷ୍ଟ୍ରାର ପଦବୀ ମଧ୍ୟ ସମ୍ଭାଳୁଥିଲେ ।

ଅମିତଙ୍କ ଉପରେ ସରକାରୀ ସେବା ନିୟମାବଳୀ ଉଲ୍ଲଘଂନର ଆରୋପ ରହିଛି । ନିୟମାବଳୀରେ ପୂର୍ବରୁ ଉଲ୍ଲେଖ ରହିଛି ଯେ, କୌଣସି ସରକାରୀ କର୍ମୀ ସରକାରଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇପାରିବେ ନାହିଁ । କିନ୍ତୁ ଡାକ୍ତର ଅମିତ ଏହି ନିୟମକୁ ଉଲ୍ଲଘଂନ କରିଛନ୍ତି ଏହାର ଫଳରେ ଜମ୍ମୁ-କାଶ୍ମୀର ସରକାର ତାଙ୍କୁ ଚାକିରୀରୁ ବହିସ୍କାର କରିଛି । ଡାକ୍ତର ଅମିତ୍ କୁମାରଙ୍କୁ ୨୦୧୩ ମସିହାରେ ରାଜକୀୟ ମେଡିକାଲ୍ କଲେଜରେ ନିଯୁକ୍ତି ମିଳିଥିଲା ।

ପୂର୍ବରୁ ସୋସିଆଲ୍ ମିଡିଆରେ ରାଜନୈତିକ ଟିପ୍ପଣୀ ଦେବାକୁ ନେଇ ୟୁପିର ଦୁଇଜଣ ଅଫିସରଙ୍କୁ ଏହାର ଶାସ୍ତି ଭୋଗିବାକୁ ପଡିଥିଲା । କାସଗଂଜ ହିଂସାକୁ ନେଇ ସୋସିଆଲ ସାଇଟରେ ବିବାଦୀୟ ମନ୍ତବ୍ୟ ପୋଷ୍ଟ କରିବା ପରେ ବରେଲୀର ତତକାଳୀନ ଡିଏମ୍ ରାଘବେନ୍ଦ୍ର ବିକ୍ରମ ସିଂହଙ୍କୁ ନୋଟିସ୍ ଜାରି ହେବା ସହ ତାଙ୍କୁ ଉକ୍ତ ସ୍ଥାନରୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଥିଲା । ଅନ୍ୟପଟେ ସରକାରୀ ବୈଠକକୁ ନେଇ ପ୍ରଶ୍ନ ଉଠାଇଥିବା ଅମେଠୀର ଏସଡିଏମ ଅଶୋକ ଶୁକ୍ଲାଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା ।