ଜମ୍ମୁକାଶ୍ମୀରରେ ସୋପିଆଁ ଓ ଅନନ୍ତନାଗରେ ବଡ ଏନକାଉଂଟର : ୧୧ ଆତଙ୍କବାଦୀ ନିହତ, ୪ଯବାନ ଗୁରୁତର । ଏନକାଉଂଟର ବେଳେ ସୁରକ୍ଷାକର୍ମୀ-ଜନତା ମୁହାଁମୁହିଁ, ୧୫ ସ୍ଥାନୀୟ ବାସିନ୍ଦା ଆହତ

30

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ଏନକାଉଂଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ଲସ୍କର କମାଣ୍ଡର ସହ ୮ ଆତଙ୍କବାଦୀ ନିହତ । ଜମ୍ମୁ କାଶ୍ମୀର ଅନନ୍ତନାଗ ଓ ସୋପିଆଁରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ । ୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି । ଅପରେସନରେ ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ୭ ଜଣ ଆତଙ୍କବାଦୀଙ୍କ ମୃତଦେହ ଜବତ ହୋଇଛି । ମୃତକଙ୍କ ମଧ୍ୟରେ ରହିଛି ଲସ୍କର-ଏ-ତଏବାର ଟପ୍ କମାଣ୍ଡର ତଥା ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ଜିନତ ଉଲ ଇସଲାମ ।

ଏହା ସହ ହିଜବୁଲ ଆତଙ୍କବାଦୀ ରଉଫ ଖାଣ୍ଡେର ମଧ୍ୟ ଏନକାଉଂଟରରେ ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ଠାରୁ ରାଇଫଲ ସହ ଗୁଳିଗୋଳା ଜବତ କରାଯାଇଛି । ଗୁଇନ୍ଦା ସୂଚନା ମିଳିବା ପରେ ଡାୟଲଗାମ ଅଂଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଜଣେ ଆତଙ୍କବାଦୀକୁ ପରିବାର ଲୋକେ ଆତ୍ମସମର୍ପଣ ପାଇଁ ମନାଇବାରେ ସଫଳ ହୋଇଥିଲେ । କିନ୍ତୁ ଅନ୍ୟ ଜଣେ ଆତଙ୍କବାଦୀ ଗୁଳିମାଡ କରିବାରୁ ସୁରକ୍ଷାକର୍ମୀ ପାଲଟା ଜବାବ ଦେଇଥିଲେ । ଏବେ ମଧ୍ୟ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।