ସଂସଦରେ ଉଠିଲା ବିଜୁ-କାଶ୍ମୀର କାହାଣୀ ! ପିନାକୀ କହିଲେ, କାଶ୍ମୀର ସ୍ୱାଧିନତା ପଛରେ ରହିଛି ବିଜୁ ବାବୁଙ୍କ ଅବଦାନ, ଦିଆଯାଉ ଭାରତ ରତ୍ନ ସମ୍ମାନ

1,793
କନକ ବ୍ୟୁରୋ: ଲୋକସଭାରେ ଉଠିଲା କାଶ୍ମୀରର ‘ବିଜୁ’ କାହାଣୀ । ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲ୍ ଉପରେ ଲୋକସଭାରେ ହୋଇଛି ସରଗରମ ଆଲୋଚନା । ଆଉ ଠିକ୍ ଏହାରି ମଧ୍ୟରେ କାଶ୍ମୀର ଓ ବିଜୁ ପଟ୍ଟନାୟକ ସମ୍ପର୍କ ପ୍ରସଙ୍ଗ । ବିଜୁ ଜନତା ଦଳର ପୁରୀ ସାଂସଦ ପିନାକୀ ମିଶ୍ର କାଶ୍ମୀର ସ୍ୱାଧୀନତା ଓ ଭାରତ ମିଶ୍ରଣ ସମୟରେ ବିଜୁ ପଟ୍ଟନାୟକଙ୍କ ଭୂମିକା ନେଇ ଲୋକସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ।
ପିନାକୀ କହିଛନ୍ତି କି, ୧୯୪୭ ମସିହାରେ ଅକ୍ଟୋବର ୨୭ରେ ଯେତେବେଳେ ପାକିସ୍ତାନ ସୈନ୍ୟ ଜମ୍ମୁ-କାଶ୍ମୀର ବାନ୍ଦିିପୁର ଓ ବାରମୁଳା ଦେଇ ମାଡ଼ି ଆସୁଥିଲେ ସେତେବେଳେ ମହାରାଜ ହରି ସିଂ ଶ୍ରୀନଗର ଛାଡ଼ି ସାରିଥିଲେ । ଆଉ ଏ ସମୟରେ ଲେପ୍ଟନାଂଟ ଜେନେରାଲ ଦିୱାନ ରଂଜିତ ରାୟଙ୍କ ନେତୃତ୍ୱରେ ଫାଷ୍ଟ ଶିଖ୍ ରେଜିମେଂଟର ୧୭ ଜଣ ସୈନ୍ୟ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀନଗର ଏୟାପୋର୍ଟରେ ପହଂଚିଥିଲେ, ବିମାନବନ୍ଦର ଉପରେ ଉଡ଼ି ବୁଲିବା ସମୟରେ ସେମାନଙ୍କୁ ଜଣା ନଥିଲା ଯେ ବିମାନବନ୍ଦର ଭାରତ କବଜାରେ ଅଛି ନା ପାକିସ୍ତାନ କବଜାରେ । ହେଲେ ସାହିସୀକତାର ନିଷ୍ପତି ନେଇ ପାଇଲଟ ବିମାନକୁ ସେଠାରେ ଅବତରଣ କରାଇଥିଲେ । ଆଉ ଏହି ପାଇଲଟ ଥିଲେ । ବୀର ସାହାସୀ ଓଡ଼ିଆ ପୁଅ ବିଜୁ ପଟ୍ଟନାୟକ ।
ଅବତରଣ ପରେ ଜେନେରାଲ ରଞ୍ଜିତ ରାୟଙ୍କ ଟିମ୍ ଘମାଘୋଟ ଲଢ଼େଇ କରି ପାକିସ୍ତାନ ସୈନ୍ୟଙ୍କୁ ପଛକୁ ହଟାଇବାରେ ସକ୍ଷମ ହୋଇଥିଲେ । କେବଳ ଏହି ଗୋଟିଏ ଉଡ଼ାଣ ନୁହେଁ ସେ ସମୟରେ ଦିଲ୍ଲୀରୁ ଭାରତୀୟ ସୈନ୍ୟଙ୍କୁ ନେଇ ଶ୍ରୀନଗରକୁ ଅନେକ ଥର ଉଡ଼ାଣ ଭରିଥିଲେ ବିଜୁ ପଟ୍ଟନାୟକ । ତେବେ କାଶ୍ମୀର ସ୍ୱାଧୀନତା ଓ ଭାରତ ମିଶ୍ରଣରେ ବିଜୁ ପଟ୍ଟନାୟକଙ୍କ ଅବଦାନ କଥା ଆଜି ଲୋକସଭାରେ ଉଠିବା ସହ ତାଙ୍କୁ ଭାରତ ରତ୍ନ ସମ୍ମାନ ଦିଆଯିବା ପାଇଁ ପୁଣି ଥରେ ଦାବି ଉଠାଇଛି ବିଜେଡ଼ି ।