ଜମ୍ମୁର ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ! ଜାଲି କାଟି କ୍ୟାମ୍ପ ଭିତରେ ପଶି ଆତଙ୍କୀଙ୍କ ଆଖିବୁଜା ଫାୟାରିଂ, ୩ ଯବାନ ଆହତ

32

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ପୁଣି ବଡ ଆତଙ୍କବାଦୀ ଆକ୍ରମଣ । ଏଥର ସେନା କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଜମ୍ମୁର ସୁଜୁଆନା ସେନା କ୍ୟାମ୍ପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୩ ଜଣେ ଯବାନ ଆହତ ହୋଇଛନ୍ତି । ଜଣେ ଯବାନଙ୍କ ପୁଅ ବି ଆହତ ହୋଇଥିବା ଖବର ମିଳିଛି । ଭୋର ପ୍ରାୟ ୫ଟାରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ- ଜାଲିକୁ କାଟି ପ୍ରାୟ ୪ରୁ ୫ ଜଣ ଆତଙ୍କବାଦୀ ଆର୍ମି କ୍ୟାମ୍ପରେ ପଶିଥିଲେ । ତାପରେ ଆଖିବୁଜା ଗୁଳିଚାଳନା କରିଥିଲେ । ସେନାର କ୍ୱିକ ଆକ୍ସନ ଟିମ ଏହାର ଜବାବ ଦେଇଥିଲା । ଏହି ଘଟଣା ପରେ ଜମ୍ମୁରେ ରେଡଆଲର୍ଟ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଆଜି ପ୍ରତ୍ୟୁଷରେ ଆତଙ୍କବାଦୀମାନେ କ୍ୟାମ୍ପ୍ ମଧ୍ୟକୁ ବଳପୂର୍ବକ ପ୍ରବେଶ କରି ଗୁଳି ଚଳାଇଥିଲେ ବୋଲି ଜମ୍ମୁ ଆଇଜିପି ଏସଡି ସିଂହ ଜାମଓ୍ଵାଲ୍ କହିଛନ୍ତି । ବହୁ ଏକର ଜମିରେ ଅବସ୍ଥିତ ଏହି ମିଲଟାରି ଷ୍ଟେସନ୍ ଜମ୍ମୁର ମଧ୍ୟ ଭାଗରେ ଅବସ୍ଥିତ । ସେଠାରେ ଆବାସିକ କ୍ୱାଟର୍ସ ଏବଂ ସ୍କୁଲ୍ ରହିଛି । ଏ ବର୍ଷ ପ୍ରଥମ ଥର ପାଇଁ ଜମ୍ମୁ ଓ କଶ୍ମୀରରେ ହୋଇଥିବା ଏହି ଆକ୍ରମଣ ଫିଦାୟୀନ୍ ଆକ୍ରମଣ ହୋଇ ଥାଇ ପାରେ ବୋଲି ମନେ କରାଯାଉଛି । ପାହାନ୍ତା ପ୍ରାୟ ୪. ୫୫ ମିନିଟରେ ସେଠାରେ ସନ୍ଦିଗ୍ଧ ଯାତାୟାତ ଦୃଷ୍ଟିକୁ ଆସିଥିଲା । କେତେ ସଂଖ୍ୟକ ଆତଙ୍କବାଦୀ ଆକ୍ରମଣ କରିଥିଲେ ସେ ସମ୍ବନ୍ଧରେ ସେ କୌଣସି ସୂଚନା ଦେଇ ନାହାନ୍ତି । କ୍ୟାମ୍ପ୍ ଭିତରୁ ଗୁଳି ଫୁଟିବା ଶବ୍ଦ ଶୁଭୁଥିଲା ଏବଂ ସେ ଅଞ୍ଚଳକୁ ନିରାପତ୍ତା ବଳ କର୍ଡନ କରିଛନ୍ତି।