ଜାମ୍ମୁର ପୁଲବାମାରେ ସେନା ଉପରକୁ ପୁଣି ଥରେ ଆତଙ୍କବାଦୀଙ୍କ ଆକ୍ରମଣ, ୭ ଯବାନ ଆହତ

36

କନକ ବ୍ୟୁରୋ : ଜାମ୍ମୁରେ ପୁଣି ଥରେ ସେନା ଉପରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ମିଳିଥିବା ସୂଚନା ଅନୁସାରେ ପୁଲବାମାରେ ଆତଙ୍କବାଦୀମାନଙ୍କ ଆକ୍ରମଣରେ ୭ ଜଣ ଯବାନ ଆହତ ହୋଇଛନ୍ତି । ଯେଉଁ ଯବାନ ମାନେ ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଆତଙ୍କବାଦୀମାନେ ପ୍ରଥମେ ସେନା ଉପରକୁ ଆକ୍ରମଣ କରିଥିଲେ । ଯବାନମାନେ ଲସିପୋରା ଠାରୁ ପୁଲବାମା ଆଡ଼କୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଆତଙ୍କବାଦୀମାନେ ପ୍ରଥମେ ବିସ୍ଫୋରଣ କରିଥିଲେ ପରେ ଯବାନଙ୍କ ଉପରକୁ ଗୁଳି କରିଥିଲେ ।

 

ଆତଙ୍କବାଦୀଙ୍କ ଆକ୍ରମଣ ପରେ ଯବାନମାନେ ସେହି ଅଞ୍ଚଳକୁ ଘେରିଛନ୍ତି । କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆହତର ସମ୍ମୁଖୀନ ହୋଇଥିବା ଯବାନମାନେ ୫୫ ଆରଆରରେ ମୁତୟନ ଥିଲେ । ତେବେ ବାରମ୍ବାର ଏପରି ଭାବରେ ସେନା ଉପରକୁ ଆକ୍ରମଣ ହେଉଥିବାରୁ ସୀମାରେ ସତର୍କ ରହିବା ପାଇଁ ଯବାନମାନଙ୍କୁ ନିର୍ଦ୍ଦେଶ ଯାଇଥିବା ସୂଚନା ମିଳିଛି ।