ତାମିଲନାଡୁ:ଜଲ୍ଲିକଟ୍ଟୁ ବନ୍ଦକୁ ନେଇ ପ୍ରତିବାଦ,ରାଜ୍ୟବ୍ୟାପି ହଜାର ହଜାର ଲୋକଙ୍କ ବିକ୍ଷୋଭ

34

କନକ ବ୍ୟୁରୋ : ତାମିଲନାଡୁରେ ଜଲ୍ଲିକଟ୍ଟୁ ବନ୍ଦକୁ ନେଇ ପ୍ରତିବାଦ ବୃଦ୍ଧି ପାଇବାରେ ଲାଗିଛି । ଜଲ୍ଲିକଟ୍ଟୁ ବନ୍ଦ୍ ପ୍ରତିବାଦରେ ରାଜ୍ୟବ୍ୟାପି ହଜାର ହଜାର ତାମିଲନାଡୁବାସୀ ବିକ୍ଷୋଭ କରିଛନ୍ତି । ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି ଜଲ୍ଲିକଟ୍ଟୁ ଉପରେ ଲାଗିଥିବା ପ୍ରତିବନ୍ଧକ ହଟା ନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ । ଜଲ୍ଲିକଟ୍ଟୁ ପାଇଁ ଅନୁମତି ଦେବା ସହ ପେଟା ଉଛେଦ ପାଇଁ ଦାବି କରିଛନ୍ତି ବିକ୍ଷୋଭକାରୀ ।

ଏହି ସମସ୍ୟାର ସମାଧାନ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପନିର ସେଲଭମ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ୪୯ ଜଣ ସାଂସଦ ବି ରାଷ୍ଟ୍ରପତିଙ୍କୁ ବି ଭେଟିବେ । ତାମିଲନାଡୁର ମରିନା ବିଚରେ ହଜାର ହଜାର ଲୋକ ଜମା ହୋଇ ବିକ୍ଷୋଭ କରୁଛନ୍ତି । ଚେନ୍ନାଇ, ମଦୁରାଇ, କୋଏମ୍ବାଟୁର, ସାଲେମ ଆଦି ସ୍ଥାନରେ ମଧ୍ୟ ହଜାର ଲୋକ ଜମା ହୋଇଛନ୍ତି ।

ପୋଙ୍ଗଲର ଗୋଟିଏ ଦିନ ପରେ ଜଲ୍ଲିକଟ୍ଟୁ ବନ୍ଦକୁ ନେଇ ପୁଣି ପ୍ରତିବାଦ ହୋଇଛି । ଜଲ୍ଲିକଟ୍ଟୁକୁ ନେଇ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି । ଗତ କିଛି ଦିନ ଧରି ଜଲ୍ଲିକଟ୍ଟକୁ ନେଇ ତାମିଲନାଡୁରେ ବିବାଦ ଲାଗିରହିଛି । ପ୍ରତିବାଦରେ ବିଭିନ୍ନ ଛାତ୍ର ସଂଗଠନ ସାମିଲ ହୋଇଛନ୍ତି । ଜଲ୍ଲିକଟ୍ଟୁକୁ ବିରୋଧ କରିବା ପାଇଁ ଚେନ୍ନାଇର ଏକ କର୍ପୋରେଟ କଂପାନୀ ଏହାର କର୍ମଚାରୀଙ୍କୁ ଏକ ଦିନ ଛୁଟି ମଧ୍ୟ ଦେଇଛି । ଏହାଛଡା ଜଲ୍ଲିକଟ୍ଟୁ ଅନୁମତି ଦେବା ପାଇଁ ଆଇଟି କ୍ଷେତ୍ରର ଅନେକ କର୍ମଚାରୀଙ୍କ ସହ କିଛି ସିନେ କଳାକାର ବି ସାମିଲ ହୋଇଛନ୍ତି ।