ଜାଲିୱାଲାବାଗ୍ ହତ୍ୟାକାଣ୍ଡ : ୨୧ ବର୍ଷ ପରେ ଜେନେରାଲ୍ ମାଇକେଲ୍ ଡାୟାରକୁ ଗୁଳି ମାରି ପ୍ରତିଶୋଧ ନେଇଥିଲେ ସହିଦ୍ ଉଦ୍ଧମ ସିଂହ । 

259

୧୦୦ ବର୍ଷ ତଳେ ଆଜିର ଦିନରେ ଏକ ବିଭତ୍ସ ହତ୍ୟାକାଣ୍ଡ ଇତିହାସର ପୃଷ୍ଠା ମଣ୍ଡନ କରିଥିଲା । ଜାଲିୱାଲାବାଗ୍ ହତ୍ୟାକାଣ୍ଡ ଯାହାର ମୁଖ୍ୟ ଅଭିଯୁକ୍ତ ଥିଲେ ବ୍ରିଗେଡିୟର୍ ଜେନେରାଲ୍ ରେଜିନାଲ୍ଡ ଡାୟାର୍ ଏବଂ ଲେଫ୍ଟିନାଣ୍ଟ୍ ଗଭର୍ଣ୍ଣର ମାଇକେଲ୍ ଓ ଡାୟାର । ୧୯୨୭ରେ ଗମ୍ଭୀର ରୋଗ କାରଣରୁ ରେଜିନାଲ୍ଡ ଡାୟାରଙ୍କ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ମାଇକେଲ୍ ଡାୟାର ଜିବିତ ଥିଲେ ଏବଂ ବ୍ରିଟେନ୍ ଫେରି ଆସିଥିଲେ । କିନ୍ତୁ ଜଣେ ଯୁବକ ୨୧ ବର୍ଷ ପରେ ମଧ୍ୟ ତାଙ୍କ ପିଛା କରୁଥିଲେ ଏବଂ ଏକ ଜନଗହଳି ପୂର୍ଣ୍ଣ ହଲରେ ତାଙ୍କୁ ଗୁଳି ମାରି ଜାଲିୱାନାବାଗ୍ ହତ୍ୟାକାଣ୍ଡର ପ୍ରତିଶୋଧ ନେଇଥିଲେ । ସେ ଯୁବକ ଜଣକ ଥିଲେ ଉଦ୍ଧମ ସିଂହ ।

୧୯୧୯ ରେ ଯେତେବେଳେ ଜାଲିୱାଲାବାଗ୍ ହତ୍ୟାକାଣ୍ଡ ଘଟିଲା ସେତେବେଳେ ସହିଦ୍ ଉଦ୍ଧମ ସିଂହଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥାଏ । ନିଜ ଯୁବାବସ୍ଥାରେ ହିଁ ସେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ମାରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ଜେନେରାଲ୍ ଡାୟାରଙ୍କୁ ତାଙ୍କ କଲାକର୍ମର ଫଳ ଭଗବାନ ଖୁବଶୀଘ୍ର ଦେଇଥିଲେ ସେ ୧୯୨୭ ରେ ଭୟଙ୍କର ରୋଗର କବଳରେ ଛଟପଟ ହୋଇ ଶେଷନିଶ୍ୱାସ ତ୍ୟାଗ କରିଥିଲେ । କିନ୍ତୁ ମାଇକେଲ୍ ଓ ଡାୟାର୍ ଜୀବିତ ଥିଲେ ଅବସର ନେବା ପରେ ଭାରତ ଛାଡି ସେ ଲଣ୍ଡନରେ ରହୁଥିଲେ । ପ୍ରତିଶୋଧ ନେବାପାଇଁ ସହିଦ୍ ଉଦ୍ଧମ ସିଂହ ୧୯୩୪ ମସିହାରେ ଲଣ୍ଡନ ପହଂଚିଥିଲେ । ସେଠାରେ ସେ ଗୋଟିଏ କାର୍ ଏବଂ ଗନ୍ କିଣି ଉପଯୁକ୍ତ ମଉକାର ଅପେକ୍ଷାରେ ଥିଲେ । ଶେଷରେ ୧୯୪୦ ମାର୍ଚ୍ଚ ୧୩ ତାରିଖରେ ସେ ଏକ ବହିରେ ଗନ୍ ଲୁଚାଇ କଳସଟନ୍ ହଲରେ ପଶି ନିଜ ଉଦେ୍ଧଶ୍ୟକୁ ପୂରଣ କରିଥିଲେ । ମାଇକେଲ୍ ଯେତେବେଳେ ମରିଥିଲା ସେ ଏକ ପ୍ରୋଗ୍ରାମରେ ଭାଷଣ ଦେଇ କହୁଥିଲା ଯେ ଯଦି ମୋତେ ଆଉ ଗୋଟିଏ ଥର ମଉକା ମିଳେ ତେବେ ଭାରତରେ ପୁଣି ଏକ ଜାଲିୱାନାବାଗ୍ ହତ୍ୟାକାଣ୍ଡ ଦୋହରାଇବି । ଏହାପରେ ସେ ନିଜେ ହିଁ ବନ୍ଧୁକ ମୁନରେ ଟଳି ପଡିଥିଲା । ସୁଟ୍ କରିବା ପରେ ସହିଦ୍ ଉଦ୍ଧମ ସିଂହଙ୍କ ମୁହଁରେ ଲକ୍ଷ୍ୟପୂରଣ ଏକ ହସ ଥିଲା , ସେ ଦୌଡିବାକୁ ଚେଷ୍ଟା ମଧ୍ୟ କରିନଥିଲେ । ବ୍ରିଟିଶ୍ ପୋଲିସ୍ ତାଙ୍କୁ ଗିରଫ କଲାବେଳେ ମଧ୍ୟ ସେ ହସୁଥିଲେ । ସେ ବଡ ପାଟିରେ କହୁଥିଲେ , “ ମୁଁ ଡାୟାରକୁ ମାରି ଠିକ୍ କରିଛି । ସେ ମୋ ଭାରତର ନିରୀହ ଲୋକଙ୍କୁ ମାରିଥିଲା ଆଉ କିଛି ଲୋକଙ୍କୁ ପାଦ ତଳେ ଚକଟିବାକୁ ଚାହୁଁଥିଲା କିନ୍ତୁ ଆଜି ମୁଁ ତାକୁ ହିଁ ଚକଟିଦେଲି । ୨୧ ବର୍ଷ ଧରି ଆଜିର ଦିନକୁ ମୁଁ କେତେ ଅପେକ୍ଷା କରିଛି । ମୁଁ ଯାହା କରିଛି ସେଥିରେ ଗର୍ବ କରୁଛି ମୋତେ ମୃତ୍ୟୁର ଭୟ ନାହିଁ କାରଣ ମୁଁ ଯାହା କରିଛି ମୋ ଭାରତ ପାଇଁ କରିଛି ।”

୩୧ ଜୁଲାଇ ୧୯୪୦ ମସିହାରେ ପେଣ୍ଟବିଲେ ଜେଲରେ ସହିଦ୍ ଉଦ୍ଧମ ସିଂହ ହସି ହସି ଫାଶୀକୁ ବେକରେ ଲଗାଇଥିଲେ । ଏଭଳି ଜଣେ ମହାନ୍ ସଂଗ୍ରାମୀଙ୍କ ବୀରଗାଥାକୁ ଭାରତ କେବେ ମଧ୍ୟ ଭୁଲାଇ ପାରିବନାହିଁ ।