ଭରସା ଭାଙ୍ଗିଲା, ଭୟ ବଢିଲା: ପୋଲିସ ପାଖରୁ ମିଳିଲାନି ନ୍ୟାୟ, ଭୟରେ ଗାଁ ଛାଡିଲେ ସ୍ମିତାରାଣୀଙ୍କ ପରିବାର । ପ୍ରତିବାଦରେ ୫ରୁ ରାଜ୍ୟବ୍ୟାପୀ ଜିଲ୍ଲାପାଳ ଅଫିସ ଘେରିବ ବିଜେପି-କଂଗ୍ରେସ

546

କନକ ବ୍ୟୁରୋ: ଗାଁ ଛାଡିଲେ ସ୍ମିତାରାଣୀଙ୍କ ପରିବାର । ଜୀବନ ପ୍ରତି ଭୟ ଥିବାରୁ ଭୟରେ ଘର ଛାଡିଲେ ସମସ୍ତେ । ଘର ଛାଡି ସମସ୍ତେ ରାଜ୍ୟ ବାହାରକୁ ପଳାଇଥିବା ସୂଚନା ମିଳୁଛି । ତେବେ ଯାଜପୁର ଧର୍ମଶାଳା ଚୋରମୁହାଁ ଗାଁରେ ଥିବା ସ୍ମିତାରାଣୀଙ୍କ ଘରେ ତାଲା ଝୁଲୁଛି । ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ଆଣୁଥିବା ପରିବାର ଲୋକ ପୋଲିସ ଉପରୁ ଭରସା ତୁଟାଇ ଶେଷରେ ଗାଁ ଛାଡି ଚାଲି ଯାଇଛନ୍ତି ।

ତେବେ ଜୀବନ ପ୍ରତି ବିପଦ ଥିବା ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପରିବାର ଲୋକେ । ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଭୟରେ ସେମାନେ ଘର ଛାଡି ରାଜ୍ୟ ବାହାରକୁ ଚାଲିଯିବେ ବୋଲି ଚିଠିରେ ଦର୍ଶାଇଥିଲେ । ପୋଲିସ କିମ୍ବା ରାଜନେତା, କେହି ତାଙ୍କ ପରିବାରକୁ ନ୍ୟାୟ ମିଳିବା ନେଇ କୌଣସି ଆଶ୍ୱାସନା ଦେଉନାହାନ୍ତି । ତେଣୁ ସିବିଆଇ ତଦନ୍ତ ଦାବି କରିବା ସହ ପରିବାର ଲୋକେ ଗାଁ ଛାଡି ଚାଲିଯିବେ ବୋଲି କହିଥିଲେ । ଆଉ ଆଜି ପରିବାର ଲୋକେ ଗାଁ ଛାଡି ଚାଲିଯିବା ପରେ ଘରକୁ ପୋଲିସ୍ ଜଗି ରହିଥିବା ଦେଖିବାକୁ ମିଳିଛି ।

ସେପଟେ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଆସନ୍ତା ୫ରେ ରାସ୍ତାକୁ ଓହ୍ଲାଇବ ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କରିବ ବିକ୍ଷୋଭ । ଏନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରେସମିଟ କରି ସୂଚନା ଦିଆଯାଇଛି । ଯାଜପୁର ଏସପି ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ସେପଟେ କଂଗେସ ମଧ୍ୟ ବିଜେପି ସ୍ୱରରେ ସ୍ୱର ମିଳାଇଛି ।

ତେବେ ଦିନ ଯେତିକି ଗଡ଼ି ଗଡି ଯାଉଛି, ଧୀରେ ଧୀରେ ଜଟିଳ ହେବାରେ ଲାଗିଛି ସ୍ମିତାରାଣୀ ମୃତ୍ୟୁ ମାମଲା । ଆଉ ଏହାକୁ ନେଇ ନା’ ରାଜନୀତି ଥମୁଛି, ନା’ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବା ଲାଗି ପୋଲିସ ତତ୍ପରତା ଦେଖାଉଛି । ଖାଲି ପ୍ରେମ ସଂପର୍କ ଓ ଆତ୍ମହତ୍ୟା ଥିଓରୀ ରଖି, ଚୁପ୍ ବସିଛି ପୋଲିସ ।