ଫାଟକ ସାଜିଛି ପ୍ରତିବନ୍ଧକ ! ହଟହଟା ଛାତ୍ରଛାତ୍ରୀ, ରୋଗୀ ଓ ଆମ୍ବୁଲାନ୍ସ

45

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ୭ଟି ଗାଁ ପାଇଁ କେନ୍ଦୁଢ଼ିପ ରେଳ ଫାଟକ ସାଜିଛି ପ୍ରତିବନ୍ଧକ । ଘଂଟା ଘଂଟା ଧରି ରେଳ ଫାଟକ ପଡି ରହୁଥିବାରୁ ଏକ ପ୍ରକାର ଠପ୍ ହୋଇଯାଉଛି ଜୀବନଯାତ୍ରା । ଫଳରେ ଅଟକି ରହୁଛନ୍ତି ରୋଗୀ ଓ ଆମ୍ବୁଲାନ୍ସଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ର ଓ ସାଧାରଣ ବାଟୋଇ ।

ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳ ଉପକଣ୍ଠରେ ରହିଛି ଦାନଗଦି ବ୍ଲକର ୭ଟି ପଂଚାୟତ । ଏହି ୭ଟି ପଂଚାୟତର ହଜାର ହଜାର ଲୋକଙ୍କ ଗମନାଗମନର ମୁଖ୍ୟ ମାଧ୍ୟମ ହେଉଛି କେନ୍ଦୁଢ଼ିପ ରେଳ ଫାଟକ ଦେଇ ଯାଇଥିବା ରାସ୍ତା । ହେଲେ ଲୋକଙ୍କ ଯାତାୟତରେ ଏହି ରେଳଫାଟକ ସାଜିଛି ମୁଖ୍ୟ ପ୍ରତିବନ୍ଧକ । ରେଳ ଫାଟକଟି ଅଧିକାଂଶ ସମୟରେ ପଡି ରହୁଥିବାରୁ ରୋଗୀ ହେଉ ବା ଆମ୍ବୁଲାନ୍ସ, ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ଘଂଟା ଘଂଟା ଧରି ଅଟକି ରହୁଛନ୍ତି । ଏହାର ସମାଧାନ ପାଇଁ ଦାମୋଦରପୁର ନିକଟରେ ଏକ ରେଳ ଓଭର ବ୍ରିଜ୍ ନିର୍ମାଣ କରିବାକୁ ଦାବି ଜୋର ଧରିଛି । ଏଥିପାଇଁ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଲୋକମାନେ କେନ୍ଦ୍ରିୟ ରେଳ ବୋର୍ଡ ସଦସ୍ୟଙ୍କୁ ଆପତି ଜଣାଇଛନ୍ତି ।

ସେପଟେ ଏହି ପ୍ରସଙ୍ଗ ଧୀରେ ଧୀରେ ରାଜନୈତିକ ମୋଡ ନେବାକୁ ବସିଲାଣି । ନିକଟରେ ସ୍ଥାନୀୟ ବିଜେଡି ପକ୍ଷରୁ ମଧ୍ୟ ଏକ ସାମ୍ବିାଦିକ ସମ୍ମିଳନୀ କରି ଏହି ଦାବି ଉତଥାପନ କରାଯାଇଥିଲା । ତୁରନ୍ତ ଦାବି ପୁରଣ ନହେଲେ ରେଳ ରୋକ କରାଯିବ ବୋଲି ବିଜେଡି ନେତା ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏହା ସ୍ଥାନୀୟ ଅଂଚଳରେ ଏକ ମୁଖ୍ୟ ସମସ୍ୟା । ତେଣୁ ଦଳମତ ନିର୍ବିଶେଷରେ ଏକାଠି ହୋଇ ଏହି ଦାବିକୁ ହାସଲ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତିି ବୁଦ୍ଧିଜୀବି ।