ପେଶା ସାମ୍ବାଦିକ, ନିଶା ଖବର କାଗଜ ସଂଗ୍ରହ : ଯାଜପୁରର ଶଶାଙ୍କ ସଂଗ୍ରହ କଲେ ୯୧ ଭାଷାରେ ୧୦୬ ଦେଶର ୪ହଜାରରୁ ଅଧିକ ଖବର କାଗଜ, ଚତୁର୍ଥ ଥର ପାଇଁ ଲିମକା ବୁକ ଅଫ ରେକର୍ଡରେ ପାଇବେ ସ୍ଥାନ

331

କନକ ବ୍ୟୁରୋ : ପେଶା ସାମ୍ବାଦିକ କିନ୍ତୁ ନିଶା ଖବର କାଗଜ ସଂଗ୍ରହ କରିବା । ରାଜ୍ୟ, ଦେଶ ବିଦେଶର ଏପରି ଅନେକ ଖବର କାଗଜ ସଂଗ୍ରହ କରିଛନ୍ତି ଯାଜପୁରର ଶଶାଙ୍କ ଶେଖର ଦାସ । ଏଥିପାଇଁ ପୂର୍ବରୁ ୩ଥର ଲିମକା ବୁକ ଅଫ ରେକର୍ଡସରେ ସ୍ଥାନ ପାଇସାରିଥିବା ଶସାଙ୍କ ଏବେ ସର୍ବାଧିକ ବିଦେଶୀ ଖବର କାଗଜ ସଂଗ୍ରହ କରିଥିବାରୁ ଚତୁର୍ଥ ଥର ପାଇଁ ଲିମକା ବୁକ ରେକର୍ଡସରେ ସ୍ଥାନ ପାଇବାକୁ ଯାଉଛନ୍ତି ।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦି ଷ୍ଟେଟସ ମ୍ୟାନ ଖବର କାଗଜରେ ଦେଶର ସ୍ୱାଧୀନତାର କାହାଣୀ । ଯାହା ହୁଏତ ଆପଣ ଖୋଜିଲେ ଆଉ କେଉଁଠାରେ ପାଇବା କଷ୍ଟକର ବ୍ୟାପର । ଏବେ ଆଉ ବ୍ୟସ୍ତ ହେବାର ନାହିଁ । ଏପରି ଅନେକ ବର୍ଷ ତଳର ଖବର କାଗଜ, ନୂଆ ପୁରୁଣା ଖବର କାଗଜ, ଆପଣ ପାଇପାରିବେ ଶସାଙ୍କ ଶେଖରଙ୍କ ପାଖରେ । ପେଶାରେ ସାମ୍ବାଦିକ  ହୋଇଥିଲେ ମଧ୍ୟ ୨୦୦୧ ମସିହାରୁ ଏଭଳି ନିଶାକୁ ଆପଣେଇ ନେଇଛନ୍ତି । ୧୦୬ ଦେଶର ୯୧ଟି ଭାଷାରେ ସଂଗ୍ରହ କରିଛନ୍ତି  ୪୪୧୪ଟି ବିଭିନ୍ନ ନାମର ଖବର କାଗଜ ।

ଖାସ ଏହି ନିଶା ପାଇଁ ୩ଥର ଲିମକା ବୁକ ଅଫ ରେକର୍ଡସରେ ସ୍ଥାନ ପାଇସାରିଛନ୍ତି ଶଶାଙ୍କ । ସର୍ବାଧିକ  ଖବରକାଗଜ ସଂଗ୍ରହ, ଗୋଟିଏ ଦିନରେ ସର୍ବାଧିକ ଖବର କାଗଜ ସଂଗ୍ରହ ଏବଂ ସବୁଠାରୁ ଅଧିକ ଦୌନିକ ଭାରତୀୟ ଖବର କାଗଜ ସଂଗ୍ରହ ଏହିପରି ୩ଟି ଉପଲବ୍ଧି ପାଇଁ ଲିମକା ବୁକ ଅଫ ରେକର୍ଡର ଅଧିକାରୀ ହୋଇସାରିଛନ୍ତି । ଏବେ ସର୍ବାଧିକ ବିଦେଶୀ ଖବର କାଗଜ ସଂଗ୍ରହ କରିଥିବାରୁ ଚତୁର୍ଥ ଥର ପାଇଁ ଲିମକା ବୁକ ଅଫ ରେକର୍ଡସରେ ସ୍ଥାନ ପାଇବାକୁ ଯାଉଛନ୍ତି ।

ଭୁବନେଶ୍ୱର କିମ୍ବା କଟକରେ ଏକ ଖବରକାଗଜ ସଂଗ୍ରହାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ସଶାଙ୍କ । ଏଥିପାଇଁ ଆଲୋଚନା ମଧ୍ୟ ଜାରି ରହିଛି । ଖୁବଶୀଘ୍ର ତାଙ୍କ ସଂଗୃହିତ ଖବର କାଗଜକୁ ନେଇ ସଂଗ୍ରହାଳୟ ଖୋଲିବାର ସମ୍ଭାବନା ରହିଛି ।