ଯାଜପୁର ବଡଚଣାରେ ଲଢେଇ ଜୋରଦାର ! ସିନିଅର ଅମର ଓ ଜୁନିୟର ଅମରଙ୍କ ମଧ୍ୟରେ ଟକ୍କର

171

କନକ ବ୍ୟୁରୋ : ଯାଜପୁର ଜିଲ୍ଳା ବଡଚଣାରେ ହେବ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା । ସିନିଅର ଅମରଙ୍କ ସହ ଲଢିବେ ଜୁନିଅର ଅମର । କଂଗ୍ରେସ ନେତା ଜନ୍ମେଜୟ ବିଜେଡିରେ ମିଶିବା ପରେ ବିଜେଡିର ଶକ୍ତିବୃଦ୍ଧି । ବିଜେପି ସ୍ଥାନୀୟ ପ୍ରସଙ୍ଗକୁ ନେଇ ଲୋକଙ୍କ ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ନବୀନଙ୍କ ସ୍ୱଛ ଶାସନ ଓ ବିକାଶକୁ ଆଧାର କରି ବିଜେଡି ମାଗିବ ଭୋଟ । ସେପଟେ କଂଗ୍ରେସର ନୂଆମୁହଁ ।

ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଯେତିକି ପାଖୋଉଛି ବଡଚଣାର ରାଜନୀତି ସେତିକି ଉଷ୍ମ ହେଉଛି । ରାଜନୀତି ମଇଦାନରେ ତିନିଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥି ଦେଇଥିବା ବେଳେ ଏଠାରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଏଢେଇ ହେବ । ବିଜେଡିରୁ ଚଳିତ ଥର ପ୍ରାର୍ଥି ହୋଇଛନ୍ତି ଅନୁଭବୀ ନେତା ଅମର ପ୍ରସାଦ ଶତପଥି । ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ୱ ରଖୁଥିବା ଅମର ଶତପଥି ୫ଥର ବିଧାୟକ ଭାବେ ଜିତି ୬ଷ୍ଠଥର ପାଇଁ ବିଜେଡିରୁ ନିର୍ବାଚନ ଲଢୁଛନ୍ତି । ଏପରିକି ଗତ ୨୦୧୭ ପଂଚାୟତ ନିର୍ବାଚନରେ ଅମରଙ୍କ ନେତୃତ୍ୱରେ ବିଜେଡିକୁ ଆଶାତୀତ ସଫଳତା ମିଳିଥିବା ବେଳେ ଏଥର ବଡଚଣାର ବରିଷ୍ଠ କଂଗ୍ରେସ ନେତା ଜନ୍ମେଜୟ ଲେଙ୍କା ବିଜେଡିରେ ଯୋଗଦେଇ ଅମରଙ୍କ ପାଇଁ ଅଂଟା ଭିଡିଛନ୍ତି । ଫଳରେ ବଡଚଣାରେ ବିଜେଡିର ସାଙ୍ଗଠନିକ ଶକ୍ତି ବୃଦ୍ଧିପାଇଛି ବୋଲି କୁହାଯାଉଛି । ତେବେ ନିଜର ଲୋକ ସମ୍ପର୍କ ଓ ନବୀନଙ୍କ ବିକାଶକୁ ଆଧାର କରି ଅମର ଲୋକଙ୍କ ସମର୍ଥନ ପାଇବେ ବୋଲି ଆଶା ରଖିଛନ୍ତି ।

୨୦୧୪ରେ ବଡଚଣାରୁ ସ୍ୱାଧିନ ପ୍ରାର୍ଥି ଭାବେ ପ୍ରତିଦ୍ୱନ୍ଦିତା କରିଥିବା ଅମର ନାୟକ ଏବେ ବିଜପି ଦଳର ପ୍ରାର୍ଥି । ଅମର ଶତପଥିଙ୍କ କ୍ୟାମ୍ପରୁ ରାଜନୀତିକୁ ଆସିଥିବା ଅମର ନାୟକ ପ୍ରଥମେ ବିଦ୍ରୋହୀ ବିଜେଡି ପ୍ରାର୍ଥିଭାବେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ଅମର ଚଳିତ ଥର ଜାତୀୟ ଦଳ ବିଜେପିରୁ ପ୍ରାର୍ଥି ହୋଇଥିବାରୁ ମୋଦୀ ସରକାରଙ୍କ ବିକାଶ ଓ ସ୍ଥାନୀୟ ସମସ୍ୟାକୁ ପ୍ରସଙ୍ଗ କରି ସେ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିବା ବେଳେ ରାଜ୍ୟ କାର୍ଯ୍ୟକାରିରୀ ସଦସ୍ୟ ଉଦୟନାଥ ସାହୁ ଓ ବିଜେପି ରାଜ୍ୟ ସମ୍ପାଦିକା ସିମନ୍ତିନୀ ଜେନାଙ୍କୁ ଅମରଙ୍କ କ୍ୟାମ୍ପରେ ଦେଖିବାକୁ ମିଳୁନାହିଁ । ଯାହାକି ବିଜେପି ଦଳର ଗୋଷ୍ଠୀ ବିବାଦକୁ ପଦାରେ ପକାଇ ଦେଇଛି ।

ଅନ୍ୟପଟରେ କଂଗ୍ରେସର ବରିଷ୍ଠ ନେତା ସୀତାକାନ୍ତ ମହାପାତ୍ର ଟିକେଟ ଫେରାଇବା ପରେ ଦଳ ଭରଷା କରିଛି ଯୁବନେତା ତଥା ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟ ଅଜୟ ସାମଲଙ୍କୁ । କଂଗ୍ରେସ ଦଳର ନିର୍ବାଚନୀ ଇସ୍ତାହାରକୁ ପ୍ରସଙ୍ଗକରି ଅଜୟ ଭୋଟରଙ୍କ ନିକଟତର ହେବେ ବୋଲି ଆଶା ରଖିଛନ୍ତି । ତେବେ ନବୀନଙ୍କ ବିକାଶ ଓ ନିଜର ଲୋକ ସମ୍ପର୍କକୁ ଅଧାର କରି ବଡଚଣାରେ ବିଜେଡି ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ଭୋଟର ହିଁ ସ୍ଥିତି ନିର୍ଣୟ କରିବେ ।