ଯାଜପୁରରୁ ଧରାହେଲେ ୩ ଆନ୍ତଃରାଜ୍ୟ ଏଟିଏମ ଲୁଟେରା । ପାଖରେ ଛିଡାହୋଇ କୌଶଳକ୍ରମେ କାର୍ଡ ବଦଳାଇ କରୁଥିଲେ ଲୁଟ୍

123

କନକ ବ୍ୟୁରୋ: ୩ଜଣ ଆନ୍ତରାଜ୍ୟ ଏଟିଏମ ଲୁଟେରାଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ସେମାନଙ୍କ ନିକଟରୁ ଏଟିଏମ କାର୍ଡ, ଗୋଟିଏ ବାଇକ, ଗୋଟିଏ କାର ଏବଂ ନଗଦ ୧୫ହଜାର ଟଙ୍କା ଜବତ ହୋଇଛି । ଏହି ଦୁବୁର୍ତ୍ତ ମାନେ ଗତ କିଛି ମାସ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ଏଟିଏମରୁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଲୁଟ୍ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହି ଲୁଟେରାମାନେ ଏଟିଏମରେ ଲୋକଙ୍କୁ ଟଙ୍କା ଉଠାଣରେ ସାହାଯ୍ୟ କରିବା ଆଳରେ ଏଟିଏମ୍ କାର୍ଡ ବଦଳ କରି ଟଙ୍କା ଲୁଟିବାରେ ସକ୍ଷମ ହେଉଥିଲେ ।

ଏନେଇ ଅଭିଯୋଗ ହେବା ପରେ ଯାଜପୁର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଏହାର ତଦନ୍ତ କରୁଥିଲା । ଯାଜପୁର ସଦର ଥାନା ଅଧିକାରୀ ଦୁଷ୍ମନ୍ତ ନାୟକଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଗ୍ୟାଙ୍ଗକୁ ଧରିଛନ୍ତି । ଗିରପଂ ଲୁଟେରା ମାନେ ହେଲେ କଟକ ନେମାଳ ଅଂଚଳର ବଳରାମ ସାହୁ, ନିଶ୍ଚିନ୍ତକୋଇଲି ଅଂଚଳର ସଂଜିବ କୁମାର ମଣ୍ଡଳ ଏବଂ କେନ୍ଦ୍ରାପଡା ବାରିମୂଳ ଅଂଚଳର ସର୍ବେଶ୍ୱର ବଳ । ଏମାନଙ୍କ ନାମରେ ଯାଜପୁର ସମେତ ବିଭିନ୍ନ ଥାନାରେ ୨୯ରୁ ଅଧିକ ଅପରାଧିକ ମାମଲା ଥିବା ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି ।