ଯାଜପୁର : ବାରମ୍ବାର ଟେଣ୍ଡର ହେଉଛି, ଠିକାଦାର ପରେ ଠିକାଦାର ବଦଳୁଛନ୍ତି ! ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହେଉନି

26

କନକ ବ୍ୟୁରୋ : ଯାଜପୁର ଜିଲ୍ଲା କଳିଙ୍ଗନଗର ଦୃତ ଶିଳ୍ପାୟନ, ଗମନାଗମନ ଓ ପରିବହନକୁ ଲକ୍ଷ୍ୟ ରଖି ମାନପୁରଠାରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ଏହିଠାରେ ଯଖପୁରା-ବାଂଶପାଣି ରେଳପଥଟି ଶିଳ୍ପାଂଚଳର ପ୍ରମୁଖ ରାସ୍ତାକୁ ଅତିକ୍ରମ କରୁଥିବରୁ ଏଠି ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଭିତ୍ତିପ୍ରସ୍ତର ସ୍ଥାପନ ହେବାର ୯ବର୍ଷ ବିତିଯାଇଥିଲେ ହେଁ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଅଧପନ୍ତରୁଆ ହୋଇ ପଡିରହିଛି । ବାରମ୍ବାର ଟେଣ୍ଡର ହେଉଛି, ଠିକାଦାର ପରେ ଠିକାଦାର ବଦଳୁଛନ୍ତି ହେଲେ ଏହି କାର୍ଯ୍ୟ ଶେଷ ହେବା ନାଁ ଧରୁନି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

୨୦୦ନଂ ଏବଂ ୨୧୫ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବ୍ୟାସନଗର-କଳିଙ୍ଗନଗର ମୁଖ୍ୟରାସ୍ତାରେ ଥିବା ମାନପୁର ରେଳଫାଟକ । ଏହି ଫାଟକ ଦେଇ ପ୍ରତିିଦିନ ୧୦ରୁ ଉର୍ଦ୍ଧ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ହଜାର ହଜାର ସଂଖ୍ୟାରେ ଯାତ୍ରୀ ଓ ଯାନବାହାନ ଶିଳ୍ପାଂଚଳକୁ ପ୍ରବେଶ କରିଥାନ୍ତି । ଆବଶ୍ୟକତାକୁ ଉପଲବ୍ଧି କରି ଏଠାରେ ଏକ ଓଭରବ୍ରିଜ୍ ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ଅର୍ଥମଞ୍ଜୁର ହୋଇଥିଲା । ଏହି ଓଭରବ୍ରିଜ୍ ଭିତି ପ୍ରସ୍ତର ସ୍ଥାପନକୁ ଏହା ଭିତରେ ବିତି ଯାଇଛି ୯ବର୍ଷ । ହେଲେ ଶେଷ ହୋଇପାରିନି ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ବାରମ୍ବାର ଟେଣ୍ଡର ହେଉଛି । ଠିକାଦାର ପରେ ଠିକାଦାର ବଦଳୁଛନ୍ତି । ଏଷ୍ଟିମେଟ ମଧ୍ୟ ବଢ଼ୁଛି ହେଲେ ସରୁନି ନିର୍ମାଣ କାର୍ଯ୍ୟ । ଦୀର୍ଘ ଦିନ ଧରି କାର୍ଯ୍ୟ ଲାଗି ରହିବା ସେପଟେ ସହ ଠିକାଦାର ବଦଳୁଥିବାରୁ ଓଭରବ୍ରିଜ୍ର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ । ଅନ୍ୟପଟେ ଜିଲ୍ଲାପାଳ ଏ ସମ୍ପର୍କରେ ଅବଗତ ଥିବା କହିଛନ୍ତି । ଏବଂ ଖୁବଶିଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ।

ଗତମାସରେ ବିଭାଗୀୟ ଅବହେଳା ଯୋଗୁ ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଭୁଶୁଡିଥିଲା । ତେଣୁ ଏବେ ଯାଜପୁର ପ୍ରଶାସନ ଲୋକଙ୍କ ଆବଶ୍ୟକତାକୁ ଗୁରୁତର ସହ ନେଇ ନିୟମ ଅନୁଯାୟୀ ନିର୍ମାଣ କାର୍ଯ୍ୟ ଶେଷ କରୁଛନ୍ତି ନା ଠିକାଦାରଙ୍କ ପକେଟ ଗରମ କରିବା ଲାଗି ଗଡାଇ ଚାଲୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।