ଯାଜପୁର ଧର୍ମଶାଳାରେ ବନ୍ୟା ପରିସ୍ଥିତି : ଇମାମନଗରରେ କଲର୍ଭଟ ଧୋଇଲା ବ୍ରାହ୍ମଣୀ, ଗାଁରେ ପଶିଲା ବଢି ପାଣି

29

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ଯାଜପୁରରେ ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତାରେ ବନ୍ୟା ଆସିଛି । ଫଳରେ ଦାନଗଦି ବ୍ଲକର ୨ଟି ପଂଚାୟତ କୁମ୍ଭୀରଗାଡିଆ ଓ ଖପୁରିପଦା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ୨ଟି ପଂଚାୟତକୁ ଯିବା ପାଇଁ ଥିବା ଗଣ୍ଡାପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲୁଛି । ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ତେବେ ବର୍ଷା କମିଯାଇଥିବାରୁ ଆଜି ପାଣି ବି କମିବା ଆଶା କରାଯାଉଛି ।

ବ୍ରହ୍ମଣୀରେ ପହଂଚିଛି ରେଙ୍ଗାଳି ପାଣି । ଫଳରେ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଧର୍ମଶାଳା ଜେନାପୁର ନିକଟରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମଣୀ । ବ୍ରାହ୍ମଣୀର ବିପଦସଙ୍କେତ ୬୭ମିଟର ଥିବାବେଳେ ବର୍ତ୍ତମାନ ୬୭.୭ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଚାଷ ଜମିରେ ବଢି ପାଣି ମାଡି ଯାଇଥିବାବେଳେ ଧିରେ ଧିରେ ଜଳସ୍ତର ବଢୁଥିବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।