ବିକ୍ରି ହୋଇଯିବ କି ଯାଜପୁର ଜିଲ୍ଲାର ପ୍ରଥମ କାରଖାନା ଫେରେକ୍ରୋମ? ବାର୍ଷିକ ୩୦ କୋଟି ଟଙ୍କା କ୍ଷତି ହେଉଥିବା ଦର୍ଶାଇ ବନ୍ଦ କରିବା ପାଇଁ ଚାଲିଛି ଯୋଜନା

33

କନକ ବ୍ୟୁରୋ : ହାତରେ ଖଣି ଅଛି। କଞ୍ଚାମାଲ ମହଜୁଦ୍ ଅଛି। ଉତ୍ପାଦନ ବି ଠିକ୍ ଠାକ୍ ହେଉଛି। ଆବଶ୍ୟକ ଠାରୁ ଢେର କମ୍ ସଂଖ୍ୟକ କର୍ମଚାରୀରେ କାମ ହେଉଛି। ପ୍ଲାଣ୍ଟର ଉତ୍ପାଦନ ହାଇ କାର୍ବନ ଫେରୋକ୍ରୋମ୍ (ଏଚସିଏସି)ର ବଜାର ଚାହିଦା ବି ରହିଛି। ଏତେ ସତ୍ତ୍ବେ ୨୦୧୫ରୁ ଫେରୋକ୍ରୋମ୍ କାରଖାନା କ୍ଷତିରେ ଚାଲୁଛି। ବାର୍ଷିକ ପାଖାପାଖି ୩୦ କୋଟି ଟଙ୍କା କ୍ଷତି ହେଉଛି ବୋଲି କୁହାଯାଉଛି। ୫୦ବର୍ଷ ପୁରୁଣା ଯାଜପୁର ଜିଲ୍ଲାର ପ୍ରଥମ କାରଖାନାକୁ କୌଣସି ପ୍ରକାରେ କ୍ଷତି ଦର୍ଶାଇ ଶାଗାମାଛ ଦରରେ ବିକି ଦେବାକୁ ଏକ ପ୍ରକାର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହେବାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି।

 

୧୯୬୭ ମସିହାରେ ଅବିଭକ୍ତ କଟକ ଜିଲ୍ଲାର ଯାଜପୁରରୋଡ୍ ଠାରେ ପ୍ରଥମ ସରକାରୀ ଉଦ୍ୟୋଗ ଭାବେ ଫେରୋକ୍ରୋମ୍ ପ୍ଲାଣ୍ଟର ଶୁଭ ଦିଆଯାଇଥିଲା। ଶୁଭ ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ। ଲକ୍ଷ୍ୟ ଥିଲା ଏଠାରେ କିଛି ଲୋକଙ୍କୁ ନିଯୁକ୍ତି ମିଳିବ, ଯାଜପୁରରେ ମହଜୁଦ୍ ଥିବା କ୍ରୋମାଇଟକୁ ବ୍ୟବହାର କରି ସରକାର କିଛି ରାଜସ୍ବ ପାଇବେ। ଏହାର ଠିକ୍ ଦୁଇବର୍ଷ ପରେ ଅର୍ଥାତ୍ ୧୯୬୯ ମସିହା ନଭେମ୍ବର ମାସରେ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଶହ ଶହ କର୍ମଚାରୀ ନିଯୁକ୍ତି ପାଇଥିଲେ।

 

ଆରମ୍ଭ ବେଳେ ପ୍ରାୟ ୪୫୦ କର୍ମଚାରୀ, ଶତାଧିକ ଠିକା ଶ୍ରମିକ କାର୍ଯ୍ୟ କରୁଥିଲେ। ଦୈନିକ ପ୍ରାୟ ୬୦ ମେଟ୍ରିକ ଟନ୍ ଏଚସିଏଫସି ଉତ୍ପାଦନ ହେଉଥିଲା। ବର୍ତ୍ତମାନ କାରଖାନାରେ ୧୬୦ ଜଣ ଅଫିସର, କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ୫୦୦ରୁ ଅଧିକ ଠିକା ଶ୍ରମିକ ଏବଂ ୧୦୦ ପାଖାପାଖି ପରିବହନ କର୍ମଚାରୀ ନିଯୁକ୍ତି ପାଇଛନ୍ତି। କାରଖାନା ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ଲୋକ ଉପକୃତ ହେଉଛନ୍ତି। ପ୍ଲାଣ୍ଟ କ୍ଷତିରେ ଚାଲୁଥିବା ଦର୍ଶାଯାଉଥିବା ବେଳେ ସେପଟେ କେନ୍ଦୁଝର ଜିଲ୍ଲାର ବଡ଼ବିଲେର ଥିବା କଳିଙ୍ଗ କାରଖାନାରୁ ୬୦ଜଣ କର୍ମଚାରୀଙ୍କୁ ଏଠାରେ ଅବସ୍ଥାନ କରାଯାଇଛି। ଏହି ୬୦ ଜଣ କର୍ମଚାରୀଙ୍କ ଦରମା ବାବଦକୁ କାରଖାନା ତହବିଲରୁ ୪୦ ଲକ୍ଷ ଟଙ୍କା ଯାଉଛି। ପ୍ଲାଣ୍ଟ କ୍ଷତିରେ ଚାଲୁଥିବା ବେଳେ ଏହି ୬୦ କର୍ମଚାରୀଙ୍କୁ କ’ଣ ପାଇଁ ଏଠାରେ ଅବସ୍ଥାପିତ କରାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନଙ୍କ ସ୍ଥାନରେ ନୂଆ ନିଯୁକ୍ତି ହୋଇଥିଲେ ୩ ଭାଗରୁ ଭାଗେ ଦରମାରେ କାର୍ଯ୍ୟ ହୋଇପାରିଥାନ୍ତା ବୋଲି କେତେକ କର୍ମଚାରୀ ମତ ପୋଷଣ କରିଛନ୍ତି।