ଟମାଟୋ, ପିଆଜ ପରେ ବାଦାମ ଚାଷୀଙ୍କ ଉପରେ ମାଡ଼ ! ବ୍ୟବସାୟୀ ଓ ସମବାୟ ସମିତି ମଧ୍ୟରେ ଚାଲିଛି ସଲାସୁତରା

26

କନକ ବ୍ୟୁରୋ : ଯାଜପୁର ବରୁଆଁ ସମବାୟ ସମିତି ସାମ୍ନା । ମଣ୍ଡି ଆଗରେ ଗଦା ଗଦା ବାଦାମ ଧରି ଅପେକ୍ଷା କରୁଛନ୍ତି ଚାଷୀ । ଦିନ ରାତି କଟିଯାଉଛି, ହେଲେ ବିକ୍ରି କରିପାରୁନାହାନ୍ତି ବାଦାମ । ଟମାଟୋ, ପିଆଜ ପରେ ଏବେ ବାଦାମ ଚାଷୀଙ୍କ ଉପରେ ପଡିଛି ମାଡ଼ । ଚାଷି ସିନା ବାଦାମ ବିକ୍ରି କରିପାରୁନାହାନ୍ତି, ହେଲେ ବ୍ୟବସାୟୀମାନେ ଚାଷୀଙ୍କ ଠାରୁ କମ ଦାମରେ ବାଦାମ କିଣି ମଣ୍ଡିରେ ବିକି ମାଲାମାଲ ହେଉଛନ୍ତି ।

ଏବର୍ଷ ଯାଜପୁର ଜିଲାରେ ପ୍ରଚୁର ଚିନାବାଦାମ ଅମଳ ହୋଇଛି । ଅଭାବୀ ବିକ୍ରି ରୋକିବା ପାଇଁ ସରକାର ସିଧାସଳଖ ଚାଷୀଙ୍କ ଠାରୁ ଚିନାବାଦାମ କିଣିବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ଏଥିରେ ଚାଷୀଙ୍କର କିଛି ଲାଭ ହୋଇନାହିଁ । ଆଦ୍ରତା ଥିବା ଆଳ ଦେଖାଇ ମନଇଚ୍ଛା ଦର କଟାଯାଉଥିବା ଅଭିଯୋଗ ହୋଇଛି । ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ଚିନାବାଦାମ ନେବା ପାଇଁ ନିୟମ ରହିଥିଲେ ହେଁ ଅଧିକାଂଶ ବ୍ୟବସାୟୀ ଏହାର ଫାଇଦା ନେଉଛନ୍ତି । ବଢ଼ିଭୋରୁ ଆସିଥିବା ଚାଷୀ ଦିନ ତମାମ ଅପେକ୍ଷା କରି ନିରାଶ ହେଉଛନ୍ତି । ହେଲେ ଏହି ଅଭିଯୋଗକୁ ମାନିବାକୁ ନାରାଜ ଅଧିକାରୀ ।

ଚାଷୀ କିପରି ଭଲ ଦି’ପଇସା ପାଇବେ, ସେଥିପାଇଁ ସର୍ବନିମ୍ନ ଦର ଧାର୍ଯ୍ୟ କରାଯାଇଛି । ମଣ୍ଡି ଖୋଲାଯାଇଛି, ବାଦାମ ବିକ୍ରି ହେଉଛି । ହେଲେ ପୁଣିଥରେ ସେହି ପୁରୁଣା ଅଭିଯୋଗ-ଅଧିକାରୀ ଓ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା । ଆଉ ଏହାରି ଭିତରେ ବଳି ପଡୁଛନ୍ତି ଚାଷୀ ।