ଯାଜପୁର : ମରୁଡି ଘୋଷଣା ନହେବାରୁ ତାତିଲେ ଚାଷୀ, ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦେଲେ ଚେତାବନୀ

30

କନକ ବ୍ୟୁରୋ : ମରୁଡି ଘୋଷଣା ନହେବାରୁ ତାତିଲେ ଚାଷୀ । କ୍ଷତିପୂରଣ ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଯାଜପୁର ଜିଲ୍ଳା ବଡଚଣା ବ୍ଳକ ଚଣ୍ଡିତଳ ପଂଚାୟତର ଚାଷୀ । ମରୁଡିଗ୍ରସ୍ତ ଅଂଚଳ ବୁଲି ଦେଖିବା ପରେ ଚାଷୀଙ୍କ ସହ ସ୍ୱର ମିଳାଇଲା ବିଜେପି । କହିଲା ଚାଷୀଙ୍କ ସାଙ୍ଗରେ ଅଛୁ, ଲଢେଇକୁ ବି ଯିବୁ । ସେପଟେ ରାଜସ୍ୱ ବିଭାଗର ବେପରୁଆ ଉତର । ଜଳସେଚିତ ଜମିରେ ମରୁଡି ହେଲା କେମିତି । ଆକଳନ କରିବାକୁ ପୁଣି ଥରେ ଯିବୁ ।

ସାରା ରାଜ୍ୟରେ ଚାଷୀଙ୍କ ଉପରେ ପଡିଛି ଚଡକ । ଚାରିଆଡେ ଏବେ ଚକଡା ପୋକ ଆତଙ୍କ ସୃଷ୍ଟି କରିଥିବା ବେଳେ ଯାଜପୁର ଜିଲ୍ଳା ବଡଚଣା ବ୍ଳକ ଚଣ୍ଡିତଳ ପଂଚାୟତରେ ଦେଖିବାକୁ ମିଳିଛି ମରୁଡିର କରାଳ ରୂପ । ଧାନଚାଷ ଦିନେ ଏମାନଙ୍କ ମୁହଁରେ ହସ ଫୁଟାଉଥିବା ବେଳେ ଏବର୍ଷ ମରୁଡି ଦୋହଲାଇ ଦେଇଛି ଚାଷୀର ମେରୁଦଣ୍ଡ । ଧାନବୁଣା, ବଛା ଓ ବେଉଷଣ ପରେ ବର୍ଷାର ଅନିୟମିତତା ଯୋଗୁଁ ବିଲରେ ଧାନ ଉଧେଇ ପାରିନି । ଏଭଳି ସ୍ଥିତିରେ ସରକାର ଏହି ପଂଚାୟତକୁ ମରୁଡି ଗ୍ରସ୍ତ ତାଲିକାଭୁକ୍ତ ନ କରିବାରୁ ଚାଷୀ ମାନସିକ ଭାରସାମ୍ୟ ହରାଇ ବସିଛି ।

ରାଜ୍ୟରେ ଚାଷୀ ଓ ଚାଷର ଉଦବେଗଜନକ ସ୍ଥିତି ନେଇ ବିବାଦ ବଢୁଥିବା ବେଳେ ସରକାର ନିକଟରେ ମରୁଡି ପ୍ୟାକେଜ୍ ଘୋଷଣା କରିଥିଲେ ମଧ୍ୟ ଯାଜପୁର ଜିଲ୍ଳାର ଅନେକ ମରୁଡି ଗ୍ରସ୍ତ ପଂଚାୟତ ଏଥିରୁ ବାଦ ପଡିଛି । ଯାହାକୁ ନେଇ ଚାଷୀ ଆନ୍ଦୋଳନର ଚେତାବନୀ ଦେଉଥିବା ବେଳେ ଚାଷୀଙ୍କ ସ୍ୱରରେ ସ୍ୱର ମିଳାଇଛି ବିଜେପି । ଅନ୍ୟପଟରେ ଏହି ଗମ୍ଭୀର ସମସ୍ୟା ବାବଦରେ ପ୍ରତିକ୍ରିୟା ରଖି ଦର୍ପଣ ତହସିଲଦାର କହିଛନ୍ତି ସରଜମିନ ତଦନ୍ତ କରିବା ପରେ ଜିଲ୍ଳାପାଳଙ୍କୁ ରିପୋର୍ଟ ଦେବେ । କ୍ଷତିଗ୍ରସ୍ତ ଚାଷୀଙ୍କୁ ମରୁଡି ତାଲିକାରେ ସାମିଲ କରି କ୍ଷତିପୂରଣ ଦେବାକୁ ଦାବୀ ହୋଇଛି ।