ଅବହେଳାରୁ ଅସ୍ଥିତ୍ୱ ହରାଉଛି ଡାକ୍ତରଖାନା : ଜଣେ ଫାର୍ମାସିଷ୍ଟ ଓ ଜଣେ ଆଟେଣ୍ଡାଂଟରେ ଚାଲିଛି ସ୍ୱାସ୍ଥ୍ୟସେବା

107

କନକ ବ୍ୟୁରୋ : ଅବ୍ୟବସ୍ଥା ଘେରରେ ସମାଜସେବୀ ରମ୍ଭାଦେବୀଙ୍କ ହାତ ତିଆରି ଡାକ୍ତରଖାନା । ଜଣେ ଫାର୍ମାସିଷ୍ଟ ଓ ଜଣେ ଆଟେଣ୍ଡାଂଟରେ ଚାଲିଛି ଯାଜପୁର ହରିଦାସପୁର ସେବା ସମବାୟ ସମିତି । ଦିନେ ପ୍ରସୂତିଙ୍କ ପାଇଁ ସୁନାମ ଅର୍ଜିଥିବା ଡାକ୍ତରଖାନାର ଅନେକ କୋଠରୀ ଏବେ ଭୂତକୋଠୀରେ ପରିଣତ ହୋଇଛି । ସେପଟେ ଡାକ୍ତରଖାନାର ଦୁଃଖ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଯାଜପୁର ସିଡିଏମଓ କହିଛନ୍ତି କେବଳ ହରିଦାସପୁର ସେବା ସମବାୟ ସମିତି ନୁହେଁ ବରଂ ଜିଲ୍ଳାରେ ପ୍ରାୟ ୩୯ପ୍ରତିଶତ ଡାକ୍ତର ଅଭାବ ରହିଛି ।

ଯାଜପୁର ଧର୍ମଶାଳା ହରିଦାସପୁର ସେବା ସମବାୟ ସମିତି । ଏହି ଡାକ୍ତରଖାନାକୁ ଖୋଲିଛନ୍ତି ସମାଜସେବୀ ରମ୍ଭାଦେବୀ । ଅଳିଆ ଆବର୍ଜାନରେ ଭର୍ତ୍ତି ଡାକ୍ତରଖାନ ପରିସର । ଡାକ୍ତରଖାନା ଛାତକୁ ଦେଖିଲେ ଭିତରକୁ ଯିବାକୁ ଭୟ ଲାଗୁଛି । ରକ୍ଷଣାବେକ୍ଷଣ ଅଭାବରୁ କୋଠରୀଗୁଡିକ ବିପର୍ଯ୍ୟସ୍ତ ହୋଇପଡିଛି । ଭଙ୍ଗା ଦଦରା ଡାକ୍ତରଖାନାରେ ଚିକିତ୍ସା ଯୋଗାଇବା ପାଇଁ ଅଛନ୍ତି ଜଣେ ମାତ୍ର ଫାର୍ମାସିଷ୍ଟ ଓ ଜଣେ ମହିଳା ଆଟେଣ୍ଡାଂଟ୍ ।

ହରିଦାସପୁର ଓ ଏହାର ଆଖପାଖ ଅଂଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦେଶ୍ୟରେ ୧୯୫୯ ମସିହାରେ ରମ୍ଭାଦେବୀ ଏହି ଡାକ୍ତରଖାନଟି ସ୍ଥାପନ କରିଥିଲେ । ସମୟ କ୍ରମେ ସରକାର ଡାକ୍ତରଖାନାର ଦାୟିତ୍ୱ ନେଇଥିଲେ ମଧ୍ୟ ଅବହେଳା ଯୋଗୁଁ ଡାକ୍ତରଖାନାଟି ପୂର୍ବ ଗୌରବ ହରାଇ ବସିଛି । ଡାକ୍ତର ନଥିବାରୁ ହରିଦାସପୁର ସେବା ସମିତିରେ ସେବା ଯୋଗାଉଛନ୍ତି ଫାର୍ମାସିଷ୍ଟ । ସେପଟେ କେବଳ ହରିଦାସପୁର ସେବା ସମବାୟ ସମିତିରେ ନୁହେଁ ମୋଟ ଜିଲ୍ଲାରେ ୩୯ପ୍ରତିଶତ ଡାକ୍ତରଙ୍କ ଅଭାବ ରହିଥିବା କହିଛନ୍ତି ସିଡିଏମଓ । ଡାକ୍ତର ଅଭାବ ସାଙ୍ଗକୁ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ହରିଦାସପୁର ସେବା ସମବାୟ ସମିତିର ଅବସ୍ଥା ସୁଧାରିବା ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।