ପୁଲିସ ସହ ଲୁଚକାଳି ଖେଳୁଛି ବଳାତ୍କାର ଅଭିଯୁକ୍ତ ବିଜେଡି ନେତା : କାର୍ଯ୍ୟାଳୟକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ନେଇ ଥାନାରେ ହୋଇଛି ମାମଲା

23

କନକ ବ୍ୟୁରୋ :  ଆଇନ୍-କାନୁନର ହାତ ଖୁବ୍ ଲମ୍ବା ବୋଲି କଥା ସିନା ରହିଛି-କିନ୍ତୁ ପ୍ରଭାବଶାଳୀ ନେତାଙ୍କ କଥା ଆସିିଲେ କ’ଣ ଏମିତି ହୋଇଯାଏ ଯେ, ଏହି ଭଳି ଚେହେରାମାନେ ଦୁଷ୍କର୍ମ ଭଳି ସାଂଘାତିକ୍ ଘଟଣା ଘଟାଇବା ପରେ ବି ଅନାୟାସରେ ଫେରାର୍ ହୋଇ ଯାଆନ୍ତି । ହିରୋ ମାର୍କା ଚେହେରା ନେଇ ସୈତାନ୍ ଭଳି କାମ କରିଥିବା ଇଏ ହେଉଛନ୍ତି- ବିଜେଡି ନେତା ଚନ୍ଦ୍ରକାନ୍ତ ମହାପାତ୍ର । ଯିଏ ବିଜୁ ପକ୍କାଘର ଏବଂ ଭତ୍ତା ଟଙ୍କାର ଲୋଭ ଦେଇ ବିଜେଡି କାର୍ଯ୍ୟାଳୟ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଗତ ୧୧ ତାରିଖରେ ପୀଡ଼ିତା ମହିଳାଙ୍କୁ ଫୋନ୍ କରି ବିଜେଡି ଅଫିସକୁ ଡାକିଥିଲେ ଚନ୍ଦ୍ରକାନ୍ତ । ଆଉ ଦଳୀୟ କାର୍ଯ୍ୟାଳୟ ଭିତରେ ଅସହାୟତାର ସୁଯୋଗ ନେଇ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ବୟାନ ମଧ୍ୟ ରେକର୍ଡ କରାଯାଇଛି । ଆଉ ପୁଲିସ୍ କହୁଛି-ଘଟଣାରେ ତଦନ୍ତ ଚାଲିଛି ।

ଆଉ ଏସବୁ ଭିତରେ ରାତାରାତି ବଦଳି ଯାଇଛି ବିଜେଡି କାର୍ଯ୍ୟାଳୟର ରୂପରେଖ । ଯେଉଁଠି ଦିନେ ଦଳୀୟ କାର୍ଯ୍ୟ ଚାଲିଥିଲା ଏହି ଘଟଣା ଘଟିବାର ଠିକ୍ ଦୁଇ ଦିନ ପରେ ପାଲଟି ଯାଇଛି ଗୋଦମ୍ ଘର । ଆଉ ଏହାକୁ ନେଇ ରାଜନୀତି ବି ଜୋରଦାର ହୋଇଛି । ଏବେ ଦେଖିବାର କଥା ପୁଲିସ ଓ ଅଭିଯୁକ୍ତିର ଏହି ଲୁଚକାଳି ଖେଳ ଭିତରେ କେବେ ଧରାପଡୁଛନ୍ତି ଚନ୍ଦ୍ରକାନ୍ତ ମହାପାତ୍ର ।