ଧରିତ୍ରୀର ଏକୋଇଶିଆ କରିବେ ଜିଲ୍ଲାପାଳ : ଡାକ୍ତର କହିଲେ, ସ୍ଥିର ଅଛି ସ୍ୱାସ୍ଥ୍ୟାବସ୍ଥା

35

କନକ ବ୍ୟୁରୋ : ଯାଜପୁର ଶ୍ୟାମସୁନ୍ଦରପୁରୁ ମାଟିତଳୁ ଉଦ୍ଧାର ହୋଇଥିବା କନ୍ୟା ସନ୍ତାନର ଅଭିଭାବକ କିଏ? ମାଟିତଳୁ ଜୀଅନ୍ତା ଫେରିଆସିଥିବାରୁ ଜିଲ୍ଲା ପ୍ରଶାସନ ଶିଶୁଟିର ନାଁ ରଖିଛି ଧରିତ୍ରୀ । ଆଉ ତାର ପ୍ରକୃତ ପିତାମାତାଙ୍କୁ ଖୋଜିବା ପାଇଁ ଆରମ୍ଭ କରିଛି ଅଭିଯାନ । ଆଙ୍ଗନବାଡି ଓ ଆଶାକର୍ମୀଙ୍କ ସହାୟତାରେ ଏଭଳି ନାରକୀୟ କାଣ୍ଡ କରିଥିବା ବାପା ମାଆଙ୍କୁ ଖୋଜୁଛି ପ୍ରଶାସନ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜେନାପୁର ଥାନାରେ ଏକ ଲିଖିତ ଏତଲା ମଧ୍ୟ ଦିଆଯାଇଛି ।

ଶିଶୁକନ୍ୟାଟିକୁ ଶ୍ୟାମସୁନ୍ଦରପୁରରେ ଏକ ଖତ ଗଦାରୁ ଉଦ୍ଧାର କରିବା ପରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ତାକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏବେ ଶିଶୁଟି ସୁସ୍ଥଥିବା ସୂଚନା ଦେଇଛନ୍ତି ଯାଜପୁର ସିଡିଏମଓ ।

ଧରିତ୍ରୀକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛି ଯାଜପୁର ଜିଲ୍ଲା ପ୍ରଶାସନ । ଶିଶୁଟିର ଚିକିତ୍ସାଠାରୁ ଆରମ୍ଭ କରି ଭବିଷ୍ୟତ ଖର୍ଚ୍ଚ ତୁଲାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । ଏପରିକି ଆଗାମୀ ଏପ୍ରିଲ ୧୪ ତାରିଖରେ ବିରଜା ମନ୍ଦିରରେ ତାର ଏକୋଇଶିଆ ପାଳନ କରାଯିବ । ଯେଉଁଥିରେ ସାମିଲ ହେବେ ରାଜ୍ୟର ଶିଶୁ ସୁରକ୍ଷା କର୍ମୀ ଓ ସିଡବ୍ଲୁସି କର୍ମକର୍ତା । କନ୍ୟା ସନ୍ତାନ ସମାଜରେ ଅଲୋଡା ନୁହେଁ, ଏଭଳି ବାର୍ତା ଦେବ ପ୍ରଶାସନ ।

ଧରିତ୍ରୀକୁ ସମାଜରେ ସମ୍ମାନର ସହ ବଂଚିବାର ଅଧିକାର ଦେବାକୁ ଆଗେଇ ଆସିଛି ଯାଜପୁର ଜିଲ୍ଲା ପ୍ରଶାସନ । ଆଉ ଏହାରି ଭିତରେ ବି ଦାବି ହେଉଛି ସେହି ଅମଣିଷ ବାପା, ମାଆଙ୍କୁ ଖୋଜି ବାହାର କରାଯାଉ । ସେମାନଙ୍କ ବିରୋଧରେ ହେଉ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । କଠୋର ଶାସ୍ତିହିଁ ଏଭଳି ରୁଗଣ ମାନସିକତାରେ ପରିବର୍ତନ ଆଣିପାରିବ ବୋଲି କୁହାଯାଉଛି ।