ଯାଜପୁରରେ ଚାଲିଛି ନାମାଙ୍କନ ଦାଖଲ : ପ୍ରାର୍ଥୀପତ୍ର ଦାଖଲ ପରେ ପ୍ରଚାର ମଇଦାନରେ ହେଭିୱେଟ୍ ନେତା

161

କନକ ବ୍ୟୁରୋ : ଯାଜପୁରରେ ଜମୁଛି ପ୍ରଚାର ଲଢେଇ । ଯାଜପୁର ଜିଲ୍ଲାରେ ଆସନ୍ତା ୨୯ ତାରିଖରେ ପଡିବ ଭୋଟ୍ । ଏଥିପାଇଁ ଏବେ ନାମାଙ୍କନ ଭରୁଛନ୍ତି ପ୍ରାର୍ଥୀ । ଏହି ପ୍ରକିୟା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଯାଜପୁର ଲୋକସଭା ଆସନ ମଧ୍ୟରେ ଥିବା ୭ ବିଧାନସଭା ଆସନରେ ଏବେ ନାମାଙ୍କନ ଚାଲିବା ସହ ପ୍ରଚାର ବି ଚାଲିଛି । ଜିଲ୍ଲାରେ ଧର୍ମଶାଳା, କୋରେଇ, ଯାଜପୁର, ସୁକିନ୍ଦା, ବିଂଝାରପୁର ପରି ବିଧାନସଭା ଆସନରେ ହେଭିୱେଟ୍ ନେତାଙ୍କ ଲଢେଇ ହେବ । ଏଠାରେ ବିଜେଡିକୁ ଟକ୍କର ଦେବେ ବିଜେପି ଓ କଂଗ୍ରେସ । ଧର୍ମଶାଳାରେ ପ୍ରଣବ ବଳବନ୍ତରାୟ, ବିଂଝାରପୁରରେ ପ୍ରମିଳା ମଲ୍ଲିକ, ଯାଜପୁରରେ ପ୍ରଣବ ପ୍ରକାଶ ଦାସଙ୍କ ପରି ପ୍ରାର୍ଥୀ ଅଛନ୍ତି ମୈଦାନରେ । କୋରେଇରେ ବିଜେଡି ଅଶୋକ ବଳଙ୍କୁ ପ୍ରାର୍ଥୀ କରିଛି । ଏଠାରେ ବିଜେପି ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ନାମାଙ୍କନ ଭରିଛନ୍ତି । ସ୍ଥାନୀୟ ଅଂଚଳର ସମସ୍ୟା, ଦୁର୍ନୀତି ସହିତ ବିକାଶକୁ ପ୍ରସଂଗ କରି ନିର୍ବାଚନ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖିଛନ୍ତି ସେ ।

ବିଂଝାରପୁର ଆସନରେ ପ୍ରମିଳାଙ୍କୁ ଟକ୍କର ଦେବାକୁ କଂଗ୍ରେସ ମନୋରଂଜନ ଦାସଙ୍କୁ ପ୍ରାର୍ଥୀ କରିଛି । ପ୍ରାୟ ସମସ୍ତ ଦଳ ପକ୍ଷରୁ ଟିକେଟ ଘୋଷଣା ସରିବା ପରେ ଘରକୁ ଘର ବୁଲି ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି ପ୍ରାର୍ଥୀମାନେ । ଦିନ ରାତି ନିଜର ପ୍ରଚାରରେ ବ୍ୟସ୍ତ । ଶାସକ ବିଜୁ ଜନତା ଦଳର ପ୍ରାର୍ଥୀମାନେ ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକୁ ପ୍ରସଂଗ କରି ଭୋଟ ଭିକ୍ଷା କରୁଛନ୍ତି । ୨୦୧୪ ନିର୍ବାଚନରେ ଯାଜପୁର ଜିଲାର ସମସ୍ତ ଆସନ କବଜା କରିଥିଲା ବିଜେଡି । ଏଥର ୨୦୧୯ରେ ଏହି ଗଡକୁ ପୁନର୍ବାର କବଜା କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି ବିଜେଡି । ଯାଜପୁର ଜିଲ୍ଲାରେ ୯ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ୧୦ ତାରିଖରେ ପ୍ରାର୍ଥୀ ପତ୍ର ଯାଂଚ ଓ ୧୨ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହର ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।