ଦେବାରେ ଥାଏ ପରମ ଆନନ୍ଦ ! ପୁରୁଣା ପୋଷାକ ସଂଗ୍ରହ କରି ଗରିବଙ୍କୁ ବାଂଟୁଛନ୍ତି ଯାଜପୁର ବିକାଶ ମଂଚର କର୍ମକର୍ତ୍ତା

43

କନକ ବ୍ୟୁରୋ : ଦେବାରେ ଯେତିକି ଆନନ୍ଦ ଥାଏ, ନେବାରେ ନଥାଏ । ଆଜିକା ବସ୍ତୁବାଦୀ ଦୁନିଆରେ ଏକଥାକୁ ବୁଝୁଛି କିଏ ।  କମ ଲୋକ ହିଁ ଅନ୍ୟପାଇଁ ଚିନ୍ତା କରନ୍ତି ବା ଅନ୍ୟ କଥା ବୁଝନ୍ତି । ଏକଥା ବୁଝିଛନ୍ତି ଯାଜପୁର ବିକାଶ ମଂଚର କର୍ମକର୍ତ୍ତା । ଏଥିପାଇଁ ୭ ବର୍ଷ ହେବ ଗରିବ ଦୁସ୍ଥ ଓ ଅବହେଳିତ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି ।

ସ୍ୱଚ୍ଛଳ ବର୍ଗ ଲୋକଙ୍କ ଠାରୁ ପୁରୁଣା ପୋଷାକ ସଂଗ୍ରହ କରି ସମାଜର ଅବହେଳିତ ଲୋକଙ୍କୁ ବାଂଟି ସାଉଂଟିଛନ୍ତି ଅଜସ୍ର ଆର୍ଶିବାଦ ଓ ଭଲପାଇବା । ପିଲା ଠାରୁ ବୟସ୍କ ସମସ୍ତଙ୍କ ପାଇଁ ଯାଜପୁର କିଆନାଳି ଛକରେ ଖୋଲାଯାଇଛି ପୁରୁଣା ବସ୍ତ୍ର ସଂଗ୍ରହ ଓ ବିତରଣ କେନ୍ଦ୍ର । ଯେଉଁଠି ଉଭୟ ବସ୍ତ୍ର ଦେଉଥିବା ଓ ନେଉଥିବା ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଯାଜପୁର ବିକାଶ ମଂଚ ଏଭଳି ଆୟୋଜନକୁ ସହଯୋଗ କରିଆସିଛନ୍ତି ସହରବାସୀ । ବର୍ଷକ ଯାକର ବଳକା ଲୁଗାପଟା ସାଇତି ରଖିଥାନ୍ତି ଏହି କେନ୍ଦ୍ରରେ ଦେବା ପାଇଁ । ଏପରିକି ଅନେକ ମଧ୍ୟ ନୂଆ ବସ୍ତ୍ର ପ୍ରଦାନ କରୁଛନ୍ତି । ୭ ଦିନ ଧରି ଏହି କେନ୍ଦ୍ର ଖୋଲା ରହିବ । ଶେଷ ଦିନରେ ଅସହାୟଙ୍କୁ କମ୍ବଳ ଦିଆଯିବ ।