ଦିଲ୍ଲୀରେ ଲୁଚିଛନ୍ତି ୧୨ ଅଲକାଏଦା ସଦସ୍ୟ ! ଗୁମର ଖୋଲିଲା ଅବଦୁର ରେହମାନର ସହଯୋଗୀ

25

କନକ ବ୍ୟୁରୋ: ଆତଙ୍କବାଦୀ ସଂଗଠନ ଅଲକାଏଦାର ୧୨ଜଣ ଦୁର୍ଦ୍ଦାନ୍ତ ସଦସ୍ୟ ଭାରତରେ ଲୁଚି ରହିଛନ୍ତି ବୋଲି ତଥ୍ୟ ମଳିବା ପରେ ସେମାନଙ୍କୁ ଠାବ କରିବା ପାଇଁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଓ ସୁରକ୍ଷା ଏଜେନ୍ସିଗୁଡିକ ତତ୍ପର ହୋଇଛନ୍ତି । ଗତ ବୁଧବାର ଦିନ ସ୍ପେସାଲ ସେଲ୍ ଦ୍ୱାରା ଗିରଫ ହୋଇଥିବା ଅଲକାଏଦା ଆତଙ୍କବାଦୀ ମହମ୍ମଦ ଜିଶାନ ଅଲ୍ଲୀ ପୁଲିସକୁ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି । ଜିସାନ ଓଡ଼ିଶାରୁ ଗିରଫ ହୋଇଥିବା ଅବଦୁର ରେହମାନର ସହଯୋଗୀ ।

ଜିସାନକୁ ରିମାଣ୍ଡରେ ନେଇ ସ୍ୱତନ୍ତ୍ର ସେଲ୍ ପୁଲିସ ଜେରା କରିଥିଲା । ଜିଶାନ କହିଛି ଯେ ଜିହାଦ୍ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ଯୁବକଙ୍କୁ ସେ ସାଉଦି ଆରବକୁ ଡକାଉଥିଲା ଏବଂ ଆତଙ୍କବାଦୀ କାର୍ଯ୍ୟରେ ସାମିଲ ହେବା ପାଇଁ ସେମାନଙ୍କୁ ସୁବିଧା ଯୋଗାଉଥିଲା । ରେହମାନ ସହ ତା’ର ସଂପର୍କ, ଆତଙ୍କବାଦୀ ଗତିବିଧି ତଥା ଆତଙ୍କବାଦ ପ୍ରଶିକ୍ଷଣ ପାଇଁ ଦୁଇଜଣ କିଭଲି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ ସେ ସଂପର୍କରେ ଜାଣିବା ପାଇଁ ପୁଲିସ ତାକୁ ମାରାଥନ ଜେରା କରୁଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଅଲକାଏଦାର ଇଣ୍ଡିଆନ୍ ସବକଣ୍ଟିନେଣ୍ଟରେ ଅଧିକ ସଂଖ୍ୟାରେ ଯୁବକଙ୍କୁ ସାମିଲ କରିବା ପାଇଁ ଜିଶାନ ଉଦ୍ୟମ ଆରମ୍ଭ କରିଥିଲା । ଏଥିପାଇଁ ୧୫ରୁ ଅଧିକ ଯୁବକ ତା’ ଯୋଗାଯୋଗରେ ମଧ୍ୟ ରହିଥିଲେ । ବିବିଏ ଶିକ୍ଷା ହାସଲ କରିଥିବା ଜିଶାନ ମୁଖ୍ୟତଃ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡର ଜାମସେଦପୁର ନିକଟସ୍ଥ ଅଞ୍ଚଳର ଯୁବକମାନଙ୍କ ସହ ସଂପର୍କରେ ଥିବା ଯାଞ୍ଚ ଅଧିକାରୀମାନେ ଜାଣିପାରିଛନ୍ତି ।

ଅବଦୁର ରେହମାନ ଓ ଜିଶାନର ଅଲକାଏଦା ଟ୍ରେନିଂ ବେସ୍ ସହ ଝାଡଖଣ୍ଡ ଯୋଗାଯୋଗ ସଂପର୍କରେ ବ୍ୟାପକ ତଦନ୍ତ କରାଯିବ ବୋଲି ପୁଲିସ କହିଛି । ଅବଦୁର ରହମାନ ଗିରଫ ହେବା ପରେ ଯୁବକମାନଙ୍କ ସହ ଜିଶାନର ଯୋଗାଯୋଗ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିଲା । ୨୦୦୭ରେ ଲଣ୍ଡନ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣର ଆତ୍ମଘାତୀ ବିସ୍ଫୋଟକ କାଫିଲର ଭାଇ ସବିଲ ସହ ସେ ସାଉଦି ଆରବରେ ରହୁଥିବା କହିଛି ।