ଆଗାମୀ ସ୍ୱାଧୀନତା ଦିବସରେ ଦେଶରେ ବିସ୍ଫୋରୋଣ କରିବା ପାଇଁ ସୀମାରେ ଅନୁପ୍ରବେଶ କରିବା ଲାଗି ଉଦ୍ୟମ କରୁଛନ୍ତି ଆତଙ୍କବାଦୀ : ସତର୍କ ରହିବା ପାଇଁ ଗୁଇନ୍ଦା ବିଭାଗର ପରାମର୍ଶ

40

କନକ ବ୍ୟୁରୋ : ଭାରତରେ ଆତଙ୍କ ରଚେଇବା ପାଇଁ ଆତଙ୍କବାଦୀଙ୍କ ନୂଆ ଚାଲ । ଆଗକୁ ଭାରତ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ଯାଉଛି । ତେଣୁ ଏହି ସମୟରେ ଦେଶରେ ଏକ ବଡ ଧରଣର ଆକ୍ରମଣ କରିପାରନ୍ତି ଆତଙ୍କବାଦୀ ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ସେମାନେ ନୂଆଦିଲ୍ଲୀରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି । ପ୍ରତ୍ୟେକ ସମୟରେ ଊାତରତ ସ୍ୱାଧୀନତା ଦିବସ ଉପଲକ୍ଷେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ତେବେ ଏହାକୁ ପଣ୍ଡ କରିବା ପାଇଁ ଆତଙ୍କବାଦୀମାନେ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଗତକାଲି ମଧ୍ୟ ଜାମୁର ସୋଫିଆନା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇସାରିଛି । ତେଣୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ସୀମାରେ ଯବାନ ମାନେ ହାଇଆଲର୍ଟରେ ଅଛନ୍ତି ।

 

ଆତଙ୍କବାଦୀମାନେ ସେମାନଙ୍କ ୨ ମୁଖ୍ୟ କମାଣ୍ଡରଙ୍କ ସହ ଭାରତରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସୂଚନା ମିଳିଛି । ତେବେ ଏପରି ସୂଚନା ମିଳିଲାପରେ ସେନା ମଧ୍ୟ ସୀମାରେ ସଜାଗ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଗୁଇନ୍ଦା ବିଭାଗର ସୂଚନା ଅନୁସାରେ ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସରେ ଲସ୍କର ଓ ଜୈସ୍ ଆତଙ୍କବାଦୀମାନେ ଏକ ବଡ଼ଧରଣର ଆକ୍ରମଣ ପ୍ରସ୍ତୁତିରେ ଲାଗିଛନ୍ତି। ବିଭିନ୍ନ ସେନା ଶିବିର ଉପରେ ଆକ୍ରମଣ ପାଇଁ ସେମାନଙ୍କ ଯୋଜନା ରହିଛି । ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ଖାନ୍ ଶପଥ ନେବାକୁ ଯାଉଥିବା ବେଳେ ଦେଶର ଆତଙ୍କବାଦୀମାନେ ସେହି ସମୟରେ ଭାରତ ଉପରେ ଆକ୍ରମଣ ଭିଆଇବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଦୁଇଦିନ ମଧ୍ୟରେ ସେନା ଶିବିରରେ ବଡ଼ଧରଣର ଆକ୍ରମଣ ଆଶଙ୍କା ଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି।

 

ଏକ ରିପୋର୍ଟରୁ ଜଣାଯାଇଛି ଯେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏବଂ ଜୈସ୍-ଏ-ମହମ୍ମଦର ୨୦ ଆତଙ୍କବାଦୀ ଜମ୍ମୁ-କଶ୍ମୀର ସୀମା ସଂଲଗ୍ନ ଅଞ୍ଚଳଗୁଡ଼ିକରେ ପଇଁତରା ମାରୁଛନ୍ତି। ସେମାନେ ପ୍ରତି ମୁହୂର୍ତ୍ତରେ ସୀମାରେ ଘଟୁଥିବା ଘଟଣା ଉପରେ ନଜର ରଖି ଆତଙ୍କବାଦୀ ସଂଗଠନ ମୁଖ୍ୟଙ୍କୁ ସୂଚନା ଦେଉଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ସହିତ ମଧ୍ୟ ଉଭୟ ଆତଙ୍କବାଦୀ ଗୋଷ୍ଠୀର ଅନବରତ ଯୋଗାଯୋଗ ଚାଲିଛି। ଟଙ୍ଗଧାର କ୍ଷେତ୍ରରେ ଥିବା ଭାରତୀୟ ସେନା ଶିବିର ଉପରେ ଆକ୍ରମଣ ପାଇଁ ଲସ୍କର ଆତଙ୍କବାଦୀ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ବାରାମୂଳା ଇଲାକାରେ ଆକ୍ରମଣ ନିମନ୍ତେ ଜୈସ୍ ଆତଙ୍କବାଦୀମାନଙ୍କୁ ପଠାଯାଇଛି। ପଟ୍ଟ।ନ୍ ଓ ବାରାମୂଳା ସହର ମଧ୍ୟବର୍ତ୍ତୀ ଇଲାକାରେ ସେମାନେ ଆକ୍ରମଣ କରିପାରନ୍ତି ବୋଲି ସୂଚନା ମିଳିଛି। ତେବେ ଆଉ ମାତ୍ର ୧୦ ଦିନ ସ୍ୱାଧୀନତା ଦିବସ ବାକିଥିବା ବେଳେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଜଣାପଡିଛି । କୈାଣସି ପ୍ରତିକୂଳ ପରିସ୍ଥିତିକୁ ସମାନା କରିବା ପାଇଁ ସେନାକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଭାରତରେ ଅନେକ ଥର ଆତଙ୍କବାଦୀମାନେ ଅନୁପ୍ରବେଶ କରି ଗୁଳିଚାଳନା କରିବାରୁ ଅନେକ ଯବାନଙ୍କ ସହ ସାଧାରଣ ଜନତା ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ପୁଣିଥରେ ଏପରି ସୂଚନା ମିଳିଥିବାରୁ ସେନାକୁ ସୀମାରେ କଡା ପଇଂତରା ମାରିବା ସହ ସତର୍କ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।