ହିମାଚଳରେ ଜୟରାମ ରାଜ ! ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୟରାମ, ମୋଦି ଓ ଶାହାଙ୍କ ସମେତ ଯୋଗଦେଲେ ବହୁ ହାଇପ୍ରୋଫାଇଲ ନେତା

31

କନକ ବ୍ୟୁରୋ : ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୟରାମ ଠାକୁର । ହିମାଚଳ ପ୍ରଦେଶର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ଜୟରାମ । ଶିମଲାର ଐତିହାସିକ ରିଜ ମୈଦାନରେ ଅନୁଷ୍ଠିତ ହୋଇଛି ଶପଥ ଗ୍ରହଣ ସମାରୋହ । ଜୟରାମଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ସାମିଲ ହୋଇଛନ୍ତି । ପ୍ରଥମଥର ପାଇଁ ହିମାଚଳ ପ୍ରଦେଶର କୌଣସି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ।

77553-enlibgnmqj-1514362858ଜୟରାମଙ୍କ ସହ ମୋଟ ୧୧ ଜଣ ବିଧାୟକ ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । ସେଥିମଧ୍ୟରୁ ଦୁଇଜଣ ମନ୍ତ୍ରୀ ସଂସ୍କୃତରେ ଶପଥ ନେଇଥିଲେ । ଜୟରାମ ଶପଥ ନେବା ସହ ମଣ୍ଡି ଜିଲ୍ଲାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଇତିହାସ ରଚିଛନ୍ତି । ଚଳିତ ନିର୍ବାଚନରେ ହିମାଚଳ ପ୍ରଦେଶରେ ବିଜେପି ୬୮ଟି ଆସନରୁ ୪୪ଟି ଆସନରୁ ବିଜୟୀ ହୋଇ ସରକାର ଗଠିଛି । ତେବେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ଲଢୁଥିବା ପ୍ରେମ କୁମାର ଧୂମଲ ପରାସ୍ତ ହେବା ପରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଜୟରାମଙ୍କ ନାମରେ ମୋହର ବାଜିଥିଲା ।