୩ ବର୍ଷର ଶିଶୁ ଓ ୧୦୦ କୋଟି ଟଙ୍କାର ସମ୍ପତି ଛାଡି ସନ୍ଥ ବନିଲେ ଦମ୍ପତି ! ଘଟଣାକୁ ନେଇ ପୂରା ଦେଶରେ ଚାଞ୍ଚଲ୍ୟ

154

କନକ ବ୍ୟୁରୋ : ଧର୍ମ ଆଗରେ ତୁଚ୍ଛ ହୋଇଗଲା ମାତୃତ୍ୱର ପ୍ରେମ ଓ କୋଟି କୋଟି ଟଙ୍କାର ସମ୍ପତି । ଧର୍ମ ପାଇଁ ୩ ବର୍ଷର ଶିଶୁକୁ ମଧ୍ୟ ତ୍ୟାଗ କରିଦେଲେ ପିତାମାତା । ୧୦୦କୋଟି ଟଙ୍କାର ମାଲିକ ଥିବା ଏହି ଦମ୍ପତି ଏବେ ଭିକ୍ଷୁକର ପଥକୁ ବାଛି ନେଇଛନ୍ତି । ଯାହା ଏବେ ପୂରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ନିମଚ ଅଞ୍ଚଳରେ ।

ମଧ୍ୟପ୍ରଦେଶର ୩୫ ବର୍ଷିୟ ସୁମିତ ରାଠୋଡ ଓ ତାଙ୍କ ପତ୍ନୀ ଅନାମିକା ଜୈନ ଧର୍ମ ଗ୍ରହଣ କରିବାକୁ ନିଷ୍ପତି ନେଇଛନ୍ତି । ତେବେ କେହି ଦମ୍ପତି ଜୈନ ଧର୍ମ ଗ୍ରହଣ କରିବା କୌଣସି ନୂଆ କଥା ନୁହେଁ । ମାତ୍ର ଜୈନ ଧର୍ମ ଗ୍ରହଣ କରିବାର ନିଷ୍ପତି ଏବେ ଏହି ଦମ୍ପତିଙ୍କୁ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି । ନିଜ ୧୦୦ କୋଟି ଟଙ୍କା ଓ ୩ ବର୍ଷର କୋମଳମତି ଶିଶୁକୁ ପଛ କରି ଜୈନ ଭିକ୍ଷୁକ ଭାବେ ଦୀକ୍ଷା ଗ୍ରହଣ କରିବାକୁ ନିଷ୍ପତି ନେଇଛନ୍ତି ଏହି ଦମ୍ପତି ।

jain coupleସୁମିତ ଓ ଅନାମିକାଙ୍କ ଏଭଳି ନିଷ୍ପତିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ସ୍ଥାନୀୟ ବାସିନ୍ଦା । କାରଣ ଉଭୟ ବେଶ ଉଚ୍ଚଶିକ୍ଷିତ । ସୁମିତ ଲଣ୍ଡନରୁ ଶିକ୍ଷାଲାଭ କରିଥିବା ବେଳେ ପତ୍ନୀ ଅନାମିକା ଜଣେ ଇଞ୍ଜିନୟରିଂ ଗ୍ରାଜ୍ୟୁଏଟ । ତା ଛଡା ସୁମିତ ୧୦୦ କୋଟି ଟଙ୍କାର ମାଲିକ ମଧ୍ୟ । ଆଗାମୀ ସେପ୍ଟେମ୍ବର ୨୩ ତାରିଖରେ ଏହି ଦମ୍ପତି ଜୈନ ଆଚାର୍ଯ୍ୟ ରାମଲାଲ ମାହାରାଜଙ୍କ ଠାରୁ ଜୈନ ଭିକ୍ଷୁକ ଭାବେ ଦୀକ୍ଷା ଗ୍ରହଣ କରିବେ । ଅଗଷ୍ଟ ୨୨ ତାରିଖରେ ବିଧିବଦ୍ଧ ଭାବେ ସୁମିତ ଜୈନ ଭିକ୍ଷୁକ ଭାବେ ଦୀକ୍ଷା ଗ୍ରହଣ କରିବେ ବୋଲି ଗୁରୁଙ୍କ ନିକଟରେ ଘୋଷଣା କରିଥିଲେ । କିନ୍ତୁ ସେତେବେଳେ ତାଙ୍କ ଗୁରୁ ସୁମିତଙ୍କୁ ଏ ବାବଦରେ ପତ୍ନୀ ଅନାମିକାଙ୍କ ଠାରୁ ଅନୁମତି ଆଣିବାକୁ କହିଥିଲେ । ସୁମିତ ଅନାମିକାଙ୍କୁ ଜୈନ ଭିକ୍ଷୁକ ଦୀକ୍ଷା ଗ୍ରହଣ କରିବା କଥା କହିବା ପରେ ପତ୍ନୀ ମଧ୍ୟ ଦୀକ୍ଷା ଗ୍ରହଣ କରିବାକୁ ଇଚ୍ଛା କରିଥିଲେ । ପରିବାରବର୍ଗ ଏଭଳି ନିଷ୍ପତି ଓହରିଯିବାକୁ ବାରମ୍ବାର ବୁଝାଇଥିଲେ ମଧ୍ୟ ଏମାନେ ନିଜ ନିଷ୍ପତିକୁ ନେଇ ଦୃଢ ହୋଇ ସାରିଥିଲେ ।

ତେବେ ଜୈନ ସନ୍ଥ ପ୍ରକାଶ ଭଣ୍ଡାରୀଙ୍କ କହିବା ଅନୁଯାୟୀ, ଏଭଳି ନିଷ୍ପତି ନିହାତି ଭାବେ ଏକ କଷ୍ଟକର ନିଷ୍ପତି ଉଭୟଙ୍କ ପାଇଁ । ତେବେ ପ୍ରଥମଥର ପାଇଁ ଏକ ଯୁବ ଦମ୍ପତି ଦୀକ୍ଷା ଗହଣ କରିବା ତାହା ପୁଣି ୩ ବର୍ଷର ଝିଅକୁ ତ୍ୟାଗ କରି ଏବେ ଚର୍ଚ୍ଚା ବିଷୟ ପାଲଟିଛି । କିନ୍ତୁ ଦମ୍ପତିଙ୍କ ଏହି ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ରାଘବେନ୍ଦ୍ର ଶର୍ମା । ସେ କହିଛନ୍ତି ଏଭଳି ନିଷ୍ପତି ଶିଶୁଙ୍କ ଅଧିକାରକୁ ଖିଲାପ କରୁଛି । ଏହି ଦମ୍ପତି ନିଜ କର୍ତ୍ତବ୍ୟରୁ ପଳାୟନ କରୁଛନ୍ତି । ଏହା ଏକ ଗମ୍ଭୀର ମାମଲା ତେଣୁ ଏହି ମାମଲା ବିଷୟରେ ସେ ମଧ୍ୟ ପ୍ରଦେଶ ଶିଶୁ ସୁରକ୍ଷା ଆୟୋଗକୁ ଜଚ୍ଚାଇବେ ।

varshil-shah-jain-monkଗତକିଛି ଦିନ ପୁର୍ବେ ଗୁଜରାଟର ବର୍ଷିଲ ଶାହ ଜୈନ ଭିକ୍ଷୁକ ଦୀକ୍ଷା ଗ୍ରହଣ କରିବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ମାତ୍ର ୧୭ ବର୍ଷ ବୟସରେ ସେ ଜୈନ ଭିକ୍ଷୁକ ଭାବେ ଦୀକ୍ଷା ଗ୍ରହଣ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଦ୍ୱାଦଶ ଶ୍ରେଣୀରେ ୯୯.୯ ପ୍ରତିଶତ ମାର୍କ ରଖିବା ପରେ ପରେ ସେ ଏଭଳି ନିଷ୍ପତି ନେଇଥିଲେ । ଯେତେବେଳେ ସମସ୍ତେ ଉଚ୍ଚଶିକ୍ଷା ପଛରେ ଧାଉଁଥିଲେ ସେହି ସମୟରେ ବର୍ଷିଲ ୯୯ ପ୍ରତିଶତ ରଖି ଜୈନ ଭିକ୍ଷୁକ ଭାବେ ଦୀକ୍ଷା ଗ୍ରହଣ କରି ଅନ୍ୟ ମାନଙ୍କ ପ୍ରେରଣାର ଉତ୍ସ ପାଲଟି ଯାଇଥିଲେ । ବର୍ଷିଲ ଏଭଳି ନିଷ୍ପତିକୁ ମଧ୍ୟ ତାଙ୍କ ପିତାମାତା ସମର୍ଥନ କରିଥିଲେ ।