ଝାଡଖଣ୍ଡ ରାଜଧାନୀରେ ଗୋଟିଏ ପରିବାରର ୭ଜଣଙ୍କ ଗଣଆତ୍ମହତ୍ୟା ଅଭିଯୋଗ : କେଉଁ ପରିସ୍ଥିତିରେ ପରିବାରର ସଦସ୍ୟମାନେ ଏପରି କଲେ? ତାହାର ତଦନ୍ତ ଆରମ୍ଭ କଲା ସ୍ଥାନୀୟ ପୋଲିସ !

44

କନକ ବ୍ୟୁରୋ : ସାରା ଦେଶରେ ବର୍ତ୍ତମାନ ସମୟରେ ବଢିଚାଲୁଛି ଗଣ ଆତ୍ମହତ୍ୟା । କିଛି ଦିନ ପୂର୍ବେ ଦିଲ୍ଲୀର ବୁରାଡିଠାରେ ଏପରି ଗଣଆତ୍ମହତ୍ୟା ହେବାର ଦେଖାଯାଇଥିଲା । ଯେଉଁଥିରେ କି ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏପରି ଘଟଣା ଲୋକମାନେ କାହିଁକି କରୁଛନ୍ତି ତାହାର ଉତ୍ତର କାହା ପାଖରେ ନାହିଁ । ଲୋକମାନେ କାହା କଥାରେ ବା ପରୋଚନାରେ ନିଜ ଜୀବନକୁ ହାରୁଛନ୍ତି ସେ ବିଷୟରେ କେହି ଟେର ପାଉନାହାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଝାଡ଼ଖଣ୍ଡର ହଜାରୀବାଗ ଅଞ୍ଚଳରେ ଗୋଟିଏ ପରିବାରର ୬ ଜଣଙ୍କ ଆତ୍ମହତ୍ୟା ଖବର ଲୋକଙ୍କ ମନରୁ ଲିଭି ନ ଥିବା ବେଳେ  ଆଉଏକ ଗଣଆତ୍ମହତ୍ୟା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଗୋଟିଏ ପରିବାରର ୭ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ ବୟସ୍କ ଥିବା ବେଳେ ଦୁଇଜଣ ଶିଶୁ ଅଛନ୍ତି। ରାଞ୍ଚିର କାଙ୍କେ ଅନ୍ତର୍ଗତ ଆର୍ସାଣ୍ଡେଠାରେ ଘଟଣା ଘଟିଛି।

 

ରାଞ୍ଚି ଏସପି ଅନିଶ ଗୁପ୍ତାଙ୍କ କହିବାନୁଯାୟୀ ସ୍ଥାନୀୟ ଲୋକଙ୍କଠାରୁ ଖବର ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘର ମଧ୍ୟରେ ୭ଟି ଶବ ପଡ଼ିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। କିନ୍ତୁ ସତାସତ୍ୟ ଜାଣିବା ସକାଶେ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ପଠାଯାଇଛି। ତେବେ ମୃତକଙ୍କ ମଧ୍ୟରେ ଦୁଇଜଣ ବରିଷ୍ଠ ନାଗରିକ ରହିଥିବା ବେଳେ ସେମାନଙ୍କର ଦୁଇପୁଅ, ଜଣେ ବୋହୂ ଓ ଦୁଇଜଣ ପିଲା ରହିଛନ୍ତି। ସମସ୍ତଙ୍କୁ ଝୁଲନ୍ତାରେ ଅବସ୍ଥାରେ ଉଦ୍ଧାର କରାଯାଇଥିବାରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି। ଘଟଣାଟି ରାଞ୍ଚି ଜିଲ୍ଲା ମୁଖ୍ୟାଳୟଠାରୁ ୧୦ କିଲୋମିଟର ଦୂରରେ ଘଟିଛି। ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ପହଞ୍ଚି ଘଟଣାର ସବିଶେଷ ତଦନ୍ତ ଆରମ୍ଭ କରିଛି । ଘର ପାଖରେ ରହୁଥିବା ପଡୋଶୀଙ୍କୁ ମଧ୍ୟ ପଚାରାଉଚରା କରୁଥିବା ଜଣାପଡିଛି । ଏହି ଘଟଣା ଜଣାପଡିଲା ପାଖରେ ସ୍ଥାନୀୟ ଲୋକ ଭିଡ ଜମାଇଥିବା ଜଣାପଡିଛି ।

 

ତେବେ ପଡ଼ୋଶୀଙ୍କ ସୂତ୍ରରୁ ଜଣାଯାଇଛି ଯେ ଏହି ପରିବାର ବିହାର ଭାଗଲପୁରର ମୂଳ ବାସିନ୍ଦା ଥିଲେ। କିନ୍ତୁ ଏଠାକୁ ଆସି ଘରର ବଡ଼ ପୁଅ ଦୀପକ ଏକ ଘରୋଇ କମ୍ପାନିରେ କାମ କରୁଥିଲେ ଓ ଭଡ଼ାଘର ନେବା ପରେ ସମସ୍ତଙ୍କୁ ନେଇ ଚାଲିଆସିଥିଲେ। କିନ୍ତୁ ଏଠାରେ ଚଳିବା କଷ୍ଟ ହୋଇଯାଇଥିଲା ଏହାସହ ପରିବାର ଘୋର ଆର୍ଥିକ ସଂକଟର ସମୁଖୀନ ହେଉଥିଲା। ଅନ୍ୟପକ୍ଷରେ ମୃତକଙ୍କ ଅନ୍ୟ ସମ୍ପର୍କୀୟଙ୍କ କହିବାନୁସାରେ ସେମାନେ ଆର୍ଥିକ ସମସ୍ୟାର ଶିକାର ଥିଲେ। ସେମାନଙ୍କ ବୟାନରୁ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସମୟରେ ସମସ୍ତ ଘଟଣାର ପୋଲିସ ତଦନ୍ତ କରୁଛି । ତଦନ୍ତ ସରିଲ ପରିଲା ପରେ ସେମାନେ କାହିଁକି ଏପରି କଲେ ତାହା ଜଣାପଡିବ । ଏହି ଗଣହତ୍ୟାରେ କେବଳ ଆର୍ଥିକ ଅଭାବ ଦାୟୀ ନା ଅନ୍ୟ କିଛି କାରଣ ଦାୟୀ ତାହାର ମଧ୍ୟ ତଦନ୍ତ କରାଯିବ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।