ବୈଜୟନ୍ତଙ୍କ ପରିବାର ଓ ବିଜେଡି ମଧ୍ୟରେ ବଢିଲା ବିବାଦ ! ମେକ୍ ଇନ୍ ଓଡିଶା କନକ୍ଲେଭରୁ ସିଆଇଆଇ ଓହରିଯିବା ନେଇ ବୈଜୟନ୍ତଙ୍କ ପତ୍ନୀଙ୍କୁ ଦାୟୀ କଲା ବିଜେଡି

45

କନକ ବ୍ୟୁରୋ : ବିଜେଡି ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାର ମଧ୍ୟରେ ବଢିଲା ବିବାଦ । ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୧୮ର ଆୟୋଜନରୁ ସିଆଇଆଇ ଓହରିବା ପରେ ଏହି ବିବାଦ ତେଜିଛି । ଏଥିପାଇଁ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ- ସିଆଇଆଇର ପୂର୍ବାଂଚଳ ଅଧ୍ୟକ୍ଷ ଜାଗି ମଙ୍ଗତ ପଣ୍ଡାଙ୍କୁ ଦାୟୀ କରିଛି ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୧୮ ଆୟୋଜନ ପାଇଁ ସିଆଇଆଇକୁ ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ତେବେ ଗତ ଫେବୃଆରୀ ଯାଏଁ ରାଜ୍ୟ ସରକାରଙ୍କ ସହ ସମ୍ପୂଣ୍ଣ ବୁଝାମଣାରେ ଥିବା ସିଆଇଆଇ, ମେକ୍ ଇନ୍ ଓଡିଶା କନକ୍ଲେଭ୍ ପାଇଁ ସହଯୋଗ କରିବାକୁ ହଠାତ୍ ମନା କରିଦେଇଛନ୍ତି ।

ବିଜେଡିର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡା, ସିଆଇଆଇ ପୂର୍ବାଂଚଳର ଚେୟାରପର୍ସନ ହେବା ପରେ, ସିଆଇଆଇର ନିଷ୍ପତିରେ ପରିବର୍ତନ ଆସିଥିବା ବିଜେଡି ଅଭିଯୋଗ କରିଛି । ୨୦୧୬ରେ ସିଆଇଆଇ ସହ ପାର୍ଟନରସିପରେ ରାଜ୍ୟ ସରକାର ମେକ୍ ଇନ୍ ଓଡିଶା କନକ୍ଲେଭ୍ କରିଥିଲେ । ସେଥିରୁ ପାଖାପାଖି ସାଢେ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିଲା । ଚଳିତବର୍ଷ ନଭେମ୍ବର ୧୧ରୁ ୧୫ଯାଏଁ ମେକ୍ ଇନ୍ ଓଡିଶା କନକ୍ଲେଭ୍ -୨୦୧୮ କରିବାକୁ ସ୍ଥିର ହୋଇଛି । ସେପଟେ ସିଆଇଆଇ ମେକ୍ ଇନ୍ ଓଡିଶା କନକ୍ଲେଭରୁ ଓହରିବା ପରେ ଓଡିଶା ଷ୍ଟେଟ୍ କାଉନସିଲ୍ ଅଧ୍ୟକ୍ଷ ଅରୁଣ ମିଶ୍ର ଓ ଉପାଧ୍ୟକ୍ଷ ସୁବ୍ରତ ତ୍ରିପାଠୀ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

ଅନ୍ୟପଟେ, ବିଜେଡିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଜାଗିମଙ୍ଗତ ପଣ୍ଡା । ସେ କହିଛନ୍ତି, ମେକ୍ ଇନ୍ ଓଡିଶା କନକ୍ଲେଭରୁ ସିଆଇଆଇ ଓହରିବା ନେଇ ତାଙ୍କର କିଛି ସଂପୃକ୍ତି ନାହିଁ । ସେ ନିଜେ ସିଆଇଆଇ ରାଜ୍ୟ କମିଟିରେ ନାହାଁନ୍ତି । ବର୍ତମାନ ସେ ସିଆଇଆଇ ପୂର୍ବାଂଚଳ ଅଧ୍ୟକ୍ଷ ଦାୟିତ୍ୱ ନେଇଛନ୍ତି ।