କେମିତି ହୋଇଥିଲା ନିହାରୀକାଙ୍କ ହତ୍ୟା? ପ୍ରେମ ପରି ପବିତ୍ର ସଂପର୍କରେ କାହିଁକି ଭରିଗଲା ବିଷ? ଯେଉଁ କାରଣରୁ ପ୍ରେମିକାକୁ ଜୀବନରୁ ମାରିଦେବାକୁ ଷଡଯନ୍ତ୍ର ରଚିଥିଲା ସଇତାନ ପ୍ରେମିକ

24,193

କନକ ବ୍ୟୁରୋ: କେମିତି ହୋଇଥିଲା ନର୍ସ ନିହାରୀକାଙ୍କ ହତ୍ୟା ? ବିବାହ କରି ପ୍ରେମିକ ସହ ସାତ ଜନ୍ମ ପାଇଁ ସାଥି ହୋଇ ରହିବାକୁ ସ୍ୱପ୍ନ ଦେଖୁଥିବା ନିହାରୀକାଙ୍କୁ କାହିଁକି ଓ କିଭଳି ହତ୍ୟା କରିଥିଲା ସଇତାନ ପ୍ରେମିକ କିଶୋର କୁମାର ଆଂଚଲ ଓରଫ୍ ରାଜା । ଏମିତି ସବୁ ପ୍ରଶ୍ନର ଉତର ଗୋଟି ଗୋଟି କରି ପୁଲିସ୍ ସାମ୍ନାରେ ବଖାଣିଛି ମୁଖ୍ୟ ଅଭିଯୁକ୍ତ ତଥା ନିହାରୀକାଙ୍କ ପ୍ରେମିକ ରାଜା । ତେବେ ରାଜା ହିଁ ନିହାରୀକାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛି ପୁଲିସ୍ । ହତ୍ୟାକାଣ୍ଡ ପଛରେ ରାଜାର ହାତ ଥିବା ପୁଲିସ୍ ପ୍ରଥମେ ସନ୍ଦେହ କରୁଥିବା ବେଳେ ଆଜି ହସ୍ତଗତ ହୋଇଥିବା ସିସିଟିଭି ଫୁଟେଜକୁ ଆଧାର କରି ରାଜା ହିଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୁଲିସ୍ । ଗତକାଲି ରାଜା ଆତ୍ମସମର୍ପଣ କରିବା ପରେ ମୃତ୍ୟୁର ଗୁମର ଖୋଲିଛି ପୁଲିସ୍ । ରାଜାକୁ ଏକ ଗୁପ୍ତ ସ୍ଥାନକୁ ନେଇ ପଚରାଉଚରା କରିବା ପରେ କଟକ ଓ ଜଗତସିଂହପୁର ପୋଲିସ ଜାଣିବାକୁ ପାଇଥିଲା କି ରାଜା ହିଁ ପ୍ରକୃତ ହତ୍ୟାକାରୀ ।

ତେବେ ପ୍ରେମ ଓ ବିବାହକୁ ନିହାରୀକା ସ୍ୱୀକାର କରି ନଥିବାରୁ ରାଜା ପ୍ରତିଶୋଧ ପରାୟଣ ହୋଇ ହତ୍ୟା ପାଇଁ ଯୋଜନା କରିଥିଲା। ଦୀର୍ଘ ଦିନ ଧରି ନୀହାରିକା ଓ ରାଜା ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ମାତ୍ର ବିବାହକୁ ନିହାରୀକା ଗୁରୁତ୍ୱ ଦେଉ ନଥିବାରୁ ରାଜା ହତ୍ୟା କରିବା ପାଇଁ ରାସ୍ତା ଖୋଜୁଥିଲା। ସାଙ୍ଗ ସୁନିଲ ସାହୁ ସେପ୍ଟେମ୍ବର ୮ ତାରିଖ ଗାଁକୁ ଯାଇଥିବା ବେଳେ ରାଜା ତା’ ଠାରୁ ଚାବି ମାଗିଥିଲା। ଘଟଣା ଦିନ ନିହାରୀକାକୁ ସୁନିଲଙ୍କର ରୁମକୁ ନେଇ ଯାଇଥିଲା ଏବଂ ହତ୍ୟା କରିବା ପରେ ଏକ ପ୍ଲାଷ୍ଟିକ ଅଖାରେ ବାନ୍ଧି ନାଲି-କଳା ରଙ୍ଗର ହୋଣ୍ଡା ସାଇନ ବାଇକରେ ଜଗତସିଂହପୁର ଜିଲ୍ଲାର ବିରିଡି ଥାନା ଅଞ୍ଚଳର ବିଲୁଆଖାଇ ନଦୀ ପଠାରେ ଫିଙ୍ଗି ଚାଲି ଯାଇଥିଲା।

ପ୍ରାୟ ଏକ ସପ୍ତାହ ଯାଏଁ ନିଖୋଜ ରହିବା ପରେ ସେପ୍ଟେମ୍ବର ୧୭ ଅପରାହ୍ଣରେ ଜଗତସିଂହପୁର ଜିଲ୍ଲାର ବିଲୁଆଖାଇ ନୂଆପାରି ନଦୀକୂଳରୁ ନର୍ସ ନିହାରୀକାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ନଦୀକୂଳରୁ ଜଣେ ଯୁବତୀଙ୍କର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଅଞ୍ଚଳର ନିହାରୀକା ପାତ୍ର ଚଳିତ ମାସ ୮ ତାରିଖଠାରୁ ନିଖୋଜ ଥିଲେ। ଘଟଣା ଦିନ ନଦୀକୂଳରେ ଜଣେ ଯୁବତୀଙ୍କର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପରିବାର ଲୋକେ ଆସି ନିହାରୀକାଙ୍କ ମୃତଦେହ ଚିହ୍ନି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।