ଶାରଳା ମନ୍ଦିର ପରିସରରେ ଭୋଗ ଓ ଦୀପ ଦୋକାନ ନିଲାମ ମାମଲା: ବକେୟା ଟଙ୍କା ଦେବାକୁ ନିଲାମଧାରୀଙ୍କୁ ନୋଟିସ କଲା ମନ୍ଦିର ପ୍ରଶାସନ

130

କନକ ବ୍ୟୁରୋ: ଶାରଳା ମନ୍ଦିର ଭିତରେ ଭୋଗ ଓ ଦୀପ ଦୋକାନ ନିଲାମ ବିବାଦ ଦିନକୁ ଦିନ ଜଟିଳ ହେଉଛି । ମାଆଙ୍କ ପୀଠରେ ଦୋକାନ ପାଇଁ ଟେଣ୍ଡର ନେଇଥିବା ଦୋକାନୀ ନିର୍ଧାରିତ ସମୟରେ ଦେୟ ପୈଠ କରିନଥିବାରୁ ନୋଟିସ କରିଛି ମନ୍ଦିର ପ୍ରଶାସନ । ବକେୟା ପାଉଣା ପୈଠ ନକଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେପଟେ ଏଥିପାଇଁ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ନିଲାମଧାରୀ ।

ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା ଶାରଳା ମନ୍ଦିର । ମନ୍ଦିର ପରିସରରେ ଥିବା ଭୋଗ ଦୋକାନ, ଦୀପ ଦୋକାନ ଏବଂ ଗାଡି ପାର୍କିଂକୁ ପ୍ରତି ବର୍ଷ ନିଲାମ କରାଯାଏ । ଟେଣ୍ଡର ଜରିଆରେ ବ୍ୟବସାୟୀମାନେ ଏହାକୁ ନିଲାମ ନେଇଥାନ୍ତି । ପ୍ରଥମେ ଟେଣ୍ଡରର ୧୨ ପ୍ରତିଶତ ଟଙ୍କା ଜମା କରିବା ସହ ବର୍ଷକ ଭିତରେ ୭ଟି କିସ୍ତିରେ ବାକି ଟଙ୍କା ଦେବାର ବ୍ୟବସ୍ଥା ରହିଛି । ହେଲେ ୨୦୧୮ର ବକେୟା ଟଙ୍କା ବ୍ୟବସାୟୀମାନେ ଏଯାଏଁ ପୈଠ କରିନଥିବାରୁ ମନ୍ଦିର ପ୍ରଶାସନ ନୋଟିସ ଜାରି କରିଛି । ଖୁବ୍ ଶୀଘ୍ର ଟଙ୍କା ନଦେଲେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ନୀଲାମଧାରୀମାନେ ନୂଆ ଟେଣ୍ଡର ହେବା ପୂର୍ବରୁ ବକେୟା ଟଙ୍କା ପୈଠ କରିବେ ବୋଲି କହିବା ସହ ପ୍ରଶାସନକୁ ପାଲଟା ପ୍ରଶ୍ନ କରିଛନ୍ତି । ମନ୍ଦିର ପ୍ରଶାସନ ଟେଣ୍ଡର ଦେବା ପରେ ମନ୍ଦିର ପରିସରରେ ଦୋକାନୀଙ୍କ ସୁବିଧା ଅସୁବିଧା ବୁଝୁନଥିବା ଅଭିଯୋଗ କରିଛନ୍ତି । ତେବେ ମନ୍ଦିର ପରିସରରେ ଦୋକାନ ଯୋଗଁ ବାର୍ଷିକ ଆୟ ବଢୁଛି । ଏସବୁ ଦୃଷ୍ଟିରୁ ମନ୍ଦିରର ଉନ୍ନତି କରଣ ଓ ଦୋକାନୀଙ୍କ ସୁବିଧା ପ୍ରତି ମନ୍ଦିର ପ୍ରଶାସନ ସଜାଗ ହେବା ଜରୁରୀ ହୋଇପଡିଛି ।