ଜଗତସିଂହପୁରର ଜଟିଳ ଅଙ୍କ! ବିରୋଧୀଙ୍କ ପାଇଁ ଦାମ ହେବେ କି ଦରଦୀ ବନ୍ଧୁ, ବିଜେଡି ପାଇଁ ସହଜ ହେବନି ବିଜୟ?

305

କନକ ବ୍ୟୁରୋ : ବରିଷ୍ଠ ନେତା ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ ଜଗତସିଂହପୁର ରାଜନୀତିରେ କଣ ପ୍ରଭାବ ପଡିବ ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି । ତେବେ ଏସବୁ ଭିତରେ ଜଗତସିଂହପୁର ଲୋକସଭା ଆସନରେ କାହାକୁ ପ୍ରାର୍ଥୀ କରିବେ ବିଜେଡି, ବିଜେପି ଓ କଂଗ୍ରେସ। ଏହାକୁ ନେଇ ଚର୍ଚ୍ଚା ଯେତିକି ବଢୁଛି, ଆଶାୟୀଙ୍କ ସଂଖ୍ୟା ମଧ୍ୟ ସେମିତି। ପ୍ରଶ୍ନ ଉଠୁଛି, ସାଂସଦ କୁଳମଣି ସାମଲଙ୍କୁ ଦ୍ବିତୀୟ ଇଂନିସ ପାଇଁ ସୁଯୋଗ ଦେବ କି ବିଜେଡି? କାହାକୁ ସାମ୍ନାରେ ରଖି ଲଢିବ ବିଜେପି। କଂଗ୍ରେସ ପାଇଁ ଏହି ଆସନରୁ କିଏ ପ୍ରତିନିଧିତ୍ବ କରିବେ?

ଜଗତସିଂହପୁର ଜିଲ୍ଳାର ଚାରି ନିର୍ବାଚନ ମଣ୍ଡଳୀ ସମେତ କଟକ ଜିଲ୍ଲାର ନିଆଳି ଓ ପୁରୀ ଜିଲ୍ଲାର ନିମାପଡ଼ା ଓ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଏହି ଲୋକସଭା ଆସନଟି ଗଠିତ। ୧୯୭୭ ମସିହାରେ ହୋଇଥିବା ପ୍ରଥମ ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ବଳ ଏଠାରୁ ନିର୍ବାଚିତ ହୋଇଥିଲେ। ପରେ ଏହି ଆସନରୁ ଲକ୍ଷ୍ମଣ ମଲିକ, ଲୋକନାଥ ଚୌଧୁରୀ ଓ ରଂଜୀବ ବିଶ୍ୱାଳ ପ୍ରମୁଖ କ୍ରମାଗତ ଦୁଇ ଥର ଲେଖାଏଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ସାଂସଦମାନଙ୍କର ରାଜ୍ୟ ରାଜନୀତିରେ ବେଶ୍ ଦବଦବା ରହିଥିଲା।

ବର୍ତ୍ତମାନ ଏହି ଆସନଟି ସଂରକ୍ଷିତ ରହିଛି। ଗତ ୨୦୧୪ ନିର୍ବାଚନରେ ରୋଗୀ ସେବାରୁ ରାଜନୀତିକୁ ଓହ୍ଲାଇଥିବା ସାଂସଦ ଡାକ୍ତର କୁଳମଣି ସାମଲ ଜିତିଥିଲେ। ବିବାଦଠାରୁ ଦୂରରେ ଥିବା ସାଂସଦ ଡାକ୍ତର ଶ୍ରୀ ସାମଲ ଏବେ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ଟାର୍ଗେଟରେ। ଏକଦା ଦାମଙ୍କୁ ନିଜ ଗୁରୁ ବୋଲି ବିବେଚନା କରୁଥିବା ଶ୍ରୀ ସାମଲ, ଦଳର ସ୍ୱାର୍ଥ ଦୃଷ୍ଟିରୁ ଦାମଙ୍କୁ କଡ଼ା ଭାଷାରେ ସମାଲୋଚନା କରିବାକୁ ବି ପଛେଇନଥିଲେ। ଏଭଳି ସ୍ଥିତିରେ କୁଳମଣିଙ୍କ ପାଇଁ ବିଜେଡିର ରଣନୀତି କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏପରିକି ବିଜେଡି ଏହି ଆସନରେ ବାରମ୍ବାର ପ୍ରାର୍ଥୀ ବଦଳାଇ ସଫଳତା ପାଇଥିବା ବେଳେ ଚଳିତଥର ମଧ୍ୟ ଏହି ଧାରାକୁ ଜାରି ରଖିବ ବୋଲି ଚର୍ଚ୍ଚା ହେଉଛି । ତେଣୁ କୁଳମଣିଙ୍କ ପାଇଁ ଏଭଳି ସମୀକରଣ ଚିନ୍ତା ବଢାଇଦେଇଛି । ଯଦି ଏଭଳି ହୁଏ ତେବେ ଏହି ଆସନ ପାଇଁ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ କୁଜଙ୍ଗ ଅଞ୍ଚଳର କେହି ଦଳୀୟ ନେତା ଟିକେଟ ପାଇପାରନ୍ତି ବୋଲି ବିଜେଡିର ଅନ୍ଦରମହଲରେ ଚର୍ଚ୍ଚା ହେଉଛି ।

ଇତିମଧ୍ୟରେ ପ୍ରାର୍ଥୀ ଚୟନ ନିମନ୍ତେ କଂଗ୍ରେସ ସ୍କ୍ରିନିଂ କମିଟି ନିକଟରେ ତିନି ଜଣ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲିକଙ୍କ ପୁଅ ଦେବୀ ପ୍ରସାଦ ମଲିକ ଓ ପ୍ରଶାନ୍ତ ମଲିକ ପ୍ରମୁଖ ଦାବି ଉପସ୍ଥାପନ କରିଛନ୍ତି। ଏହି ଆସନ ଉପରେ ବାମ ଦଳର ମଧ୍ୟ ଆଖି ରହିଛି। ତେବେ ପୂର୍ବରୁ ବିଭୁପ୍ରସାଦ ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କ ପାଇଁ ପୁଣିଥରେ କମବ୍ୟାକ୍ କରିବାର ସୁଯୋଗ ରହିଛି । ଏପରିକି ଆଶାୟୀ ତାଲିକାରେ ମଧ୍ୟ ବିଭୁପ୍ରସାଦ ତରାଇଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ସେହିଭଳି ବିଜେପି ଏଠାରେ ଏଯାଏଁ ଖାତା ଖୋଲିନଥିବା ବେଳେ ମେଡେନ ବିଜୟ ପାଇଁ ଲଢେଇକୁ ଓହ୍ଲାଇବ । କିନ୍ତୁ ଦୁର୍ବଳ ସଙ୍ଗଠନ ପାଇଁ ବାରମ୍ବାର ପରାଜୟ ବରଣ କରୁଥିବା ବିଜେପି ଚଳିତ ନିର୍ବାଚନ ପୂର୍ବରୁ ନିଜ ସଙ୍ଗଠନକୁ ଶକ୍ତିଶାଳୀ କରିଛି । ପ୍ରଧାନମନ୍ତ୍ରୀଙ୍କ ପାରାଦ୍ୱୀପ ସମାବେଶ ଓ ବାରମ୍ବାର କେନ୍ଦ୍ରମନ୍ତ୍ରୀ ମାନେ ଜଗତସିଂହପୁର ଗସ୍ତ କର୍ମୀ ମାନଙ୍କୁ ଆକ୍ଟିଭ ମୋଡକୁ ଆଣିଛି । ବିଜେପି ଟିକେଟରେ ଲଢିବା ପାଇଁ ପୂର୍ବତନ ବିଧାୟକ ବାଇଧର ମଲିକ୍ ଆଶାୟୀ ରହିଛନ୍ତି । ତେଣୁ ତାଙ୍କ ଦ୍ୱାରା ବନ୍ଦରଗଡରେ ପଦ୍ମ ଫୁଟାଇବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଖବର ଚର୍ଚ୍ଚାକୁ ଆସିଛି । ଏପରିକି ଅନ୍ୟ ଏକ ଗୋଷ୍ଠୀର କହିବା ଅନୁଯାୟୀ, ବିଜେପି ଏଠାରେ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବ । ତେବେ ସେହି ପ୍ରାର୍ଥୀ କିଏ ତାହା ଏଯାଏଁ ସସପେନ୍ସରେ ରହିଛି । ତେବେ ଏହି ଆସନରେ ଦାମ ସବୁଠୁ ବଡ ଗେମଚେଞ୍ଜର ଭୂମିକାରେ ନଜର ଆସିପାରନ୍ତି । ବିଜେଡିରୁ ବିଦା ହେବା ପରେ ଦାମଙ୍କ ଟାର୍ଗେଟ ରାଡାରରେ ରହିଛନ୍ତି ନବୀନ । ତେଣୁ ବିଜେଡିକୁ ଏଠାରେ ମାତ୍ ଦେବାକୁ ଦାମ ବିରୋଧୀଙ୍କ ପାଇଁ ଦରଦୀ ବନ୍ଧୁ ଭାବେ ସାମ୍ନାକୁ ଆସିପାରନ୍ତି । ଏଭଳି କିଛି ସମୀକରଣକୁ ନେଇ ଜଗତସିଂହପୁର ରାଜନୀତି ଆଗକୁ ବଢୁଥିବା ବେଳେ ନିର୍ବାଚନରେ ଭୋଟରଙ୍କ ମନ ଯିଏ ଜିଣିବ ସିଏ ହିଁ ଜଗତସିଂହପୁରରେ ବିଜୟଧ୍ୱଜା ଉଡାଇବ ଏକଥା ସ୍ପଷ୍ଟ ହୋଇଯାଇଛି ।