ନୟାଗଡର କୃଷ୍ଣଚନ୍ଦ୍ର ମୃତ୍ୟୁ ଘଟଣାରେ ନୂଆ ମୋଡ । ପୁଲିସ ଅଧିକାରୀଙ୍କୁ ଭେଟି ହତ୍ୟା ଅଭିଯୋଗ ଆଣିଲେ ଗାଁଲୋକେ

760

କନକ ବ୍ୟୁରୋ: ନୟାଗଡର କୃଷ୍ଣଚନ୍ଦ୍ର ଚମ୍ପତିରାୟ ଓରଫ ସାଗର ମୃତ୍ୟୁ ଘଟଣା ଦିନକୁ ଦିନ ନୂଆମୋଡ ନେବାରେ ଲାଗିଛି । ପ୍ରେମ ସମ୍ପର୍କକୁ କେନ୍ଦ୍ର କରି କୃଷ୍ଣଚନ୍ଦ୍ର ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହୁଥିବାବେଳେ ବାଲିକୁଦା ଦାଆ ଗାଁର ଲୋକେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଗତ ସପ୍ତାହରେ ଦାଆଗାଁ ପ୍ରାଥମିକ ସ୍କୁଲର ଛାତ ଉପରୁ କୃଷ୍ଣଚନ୍ଦ୍ରଙ୍କ ଅର୍ଧଦଗ୍ଧ ଶବ ଉଦ୍ଧାର କରାଯାଇଥିଲା । ଏହାପଛରେ ଦାଆ ଗାଁରେ ରହୁଥିବା କୃଷ୍ଣଚନ୍ଦ୍ରଙ୍କ ପ୍ରେମିକାଙ୍କ ହାତ ଥିବା ସନ୍ଦେହ କରାଯାଇଥିଲା । କିନ୍ତୁ ତଦନ୍ତ ପରେ ପୋଲିସ କୃଷ୍ଣଚନ୍ଦ୍ର ଆତ୍ମହତ୍ୟା କରିଥିବା କହିଥିଲା ।

ତେବେ ପରିବାର ଲୋକେ ଏହାକୁ ହତ୍ୟା ବୋଲି କହିଥିବାବେଳେ ଦାଆ ଗାଁ ଲୋକେ ବି କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା କହି ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ସେମାନେ ଅଭିଯୋଗ ଆଣିଛନ୍ତି, ଅଭିଯୁକ୍ତ ଖୁଲମଖୁଲା ବାହାରେ ବୁଲୁଛି । ପୋଲିସ ଜାଣିଶୁଣି ଅଭିଯୁକ୍ତକୁ ଗିରଫ କରୁନି । ଘଟଣା ପଛରେ ରାଜନୈତିକ ଚାପ ରହୁଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି ।

ଗାଁର ସଂପୃକ୍ତ ଝିଅଙ୍କ ସହ କୃଷ୍ଣଚନ୍ଦ୍ରଙ୍କ ପ୍ରେମ ସମ୍ପର୍କ ଥିଲା । କୃଷ୍ଣଚନ୍ଦ୍ର ଏହି ଗାଁକୁ ଅନେକ ଥର ଆସିଥିଲା ।  ସେପଟେ ଅଲଇଣ୍ଡିଆ କଂଗ୍ରେସ କମିଟି ମାନବାଧିକାର କମିଶନର ଓଡିଶା ସଂଯୋଜକ ସୁଶାନ୍ତ କାନୁନଗୋ ବି ସାଗରଙ୍କ ପରିବାରଙ୍କୁ ଭେଟିଛନ୍ତି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେ ଅଭିଯୋଗ ଆଣିଛନ୍ତି । ଏନେଇ ସେ ଏସପିଙ୍କୁ ଫେରାଦ ହେବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।