ଚାଷୀକୂଳକୁ ବର୍ଷା କଲା ବେହାଲ : ଜଗତସିଂହପୁର ନାଉଗାଁରେ ହଜାର ହଜାର ହେକ୍ଟର ଜମିରେ ସଢିଲା ଧାନ ତଳି

37

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଚାଷୀଙ୍କ ମୁଣ୍ଡରେ ଚଡକ । ଲଘୁଚାପ ଲଗାଣ ବର୍ଷା ପାଣିରେ ବୁଡି ରହିଛି ହଜାର ହଜାର ହେକ୍ଟର ଧାନ ଜମି । ୧୫ ଦିନ ହେଲା ପାଣିରେ ବୁଡି ରହିଥିବା ତଳି ସବୁ ସଢ଼ିିଯିବା ପରେ ଚିନ୍ତାରେ ପଡିଯାଇଛି ଚାଷୀକୂଳ । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଜମିରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ନାଉଗାଁ ବ୍ଲକ ନନ୍ଦିଗ୍ରାନର ଚାଷୀ । ଏ ବାବଦରେ ଜିଲ୍ଲା ଡ୍ରେନେଜ୍ ନିର୍ବାହୀ ଯନ୍ତ୍ରୀଙ୍କ କହିବା କଥା ସରକାରୀ ସ୍ତରରେ ନାଉଗାଁ ଅଂଚଳରେ ଡ୍ରେନେଜ୍ କରିବା ପାଇଁ ପ୍ରସ୍ତାବ ରିହିଛି । ଏବଂ ଆସନ୍ତା ବର୍ଷ କାର୍ଯ୍ୟ ଆରମ୍ଭ କରାଯିବ । ଅନ୍ୟପଟେ ଜଗତିସଂହପୁର ବିଧାୟକ ଚିରଂଜୀବି ବିଶ୍ୱାଳ ଚାଷୀଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ନାଉଗାଁ ବ୍ଲକର ଡ୍ରେନେଜ୍ ସମସ୍ୟା ଉପରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ।

ସେପଟେ ଲଗାଣ ବର୍ଷାରେ ଯାଜପୁର ବଡଚଣା ବ୍ଲକରେ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି । ହେକ୍ଟର ହେକ୍ଟର ଚାଷ ଜମିରେ ବର୍ଷା ପାଣି ଜମି ରହିବା ଫଳରେ ସମୁଦ୍ରର ଭ୍ରମ ସୃଷ୍ଟି ହେଉଛି । ବର୍ଷାଜଳ ଜମି ରହିବା ଯୋଗୁ ବଡଚଣାରେ ଧାନ ଫସଲ ବ୍ୟାପକ କ୍ଷତି ହୋଇଛି । ଏହି ବ୍ଲକର ରାଧାଦେଇପୁର, ଶାନ୍ତିପୁର, ଅରଖପୁର, ବନ୍ଦାଳ, କୁନ୍ଦଳ, ବଡଘୁମୁରୀ ପଂଚାୟତର ଧାନ ଚାଷ ଜମିରେ ବର୍ଷାପାଣି ଜମି ରହିଛି । ଚାଷୀ ବିଲରେ ଧାନ ତଳି ରୋଇ ସାରି, ସାର ଔଷଧ ପକାଇ ଭଲ ଫସଲ ପାଇଁ ଆଶା ବାନ୍ଧିଥିବା ବେଳେ ବର୍ଷା ଜଳ ଚାଷୀଙ୍କୁ ନିଶ୍ୱ କରିଦେଇଛି ।