ଜଗତସିଂହପୁରରେ ଚିନ୍ତା ବଢାଇଛି ଲଗାଣ ବର୍ଷା ! ସଢିଗଲା ଧାନ ତଳି, ମାଗଣାରେ ବିହନ ଯୋଗାଇବାକୁ ଚାଷୀଙ୍କ ଦାବି

34

କନକ ବ୍ୟୁରୋ : ଚାଷ ଆରମ୍ଭରୁ ଚିନ୍ତାରେ ଚାଷୀ । ଚାଷୀଙ୍କ ନିଦ ହଜେଇଛି ଲଗାଣ ବର୍ଷା । ୧୦ ଦିନର ଲଗାଣ ବର୍ଷାରେ ଚିଲିକା ପାଲଟିଛି ହଜାର ହଜାର ହେକ୍ଟର ଚାଷ ଜମି । ଧାନ ରୋଇବା ସମୟରେ ସଢିବାକୁ ବସିଲାଣି ଧାନ ତଳି । ଜଗତସିଂହପୁର ଜିଲ୍ଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଏବେ ଚାଷୀ ମୁଣ୍ଡରେ ଚଡକ ପଡିଛି । ଧାର କରଜ କରି ସରକାରୀ ବିହନ କିଣି ତଳି ପକାଇ ଚାଷ କାମ ଆରମ୍ଭ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ଚାଷୀ ମାନଙ୍କର ସମସ୍ୟା ବାବଦରେ ଜାଣିବା ପାଇଁ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅନେକ ସ୍ଥାନ ବୁଲି ଦେଖିବା ସହ ଜିଲ୍ଲାପାଳଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।

ଜିଲ୍ଲାର ଜଗତସିଂହପୁର ଓ ନାଉଗାଁ ବ୍ଲକରେ ସର୍ବାଧିକ ୩୦୧ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି । ଆବଶ୍ୟକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଡ୍ରେନେଜ୍ ସୁବିଧା ନଥିବାରୁ ପାଣି ନିଷ୍କାସନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ସରକାର ମାଗଣାରେ ବିହନ ଓ ସାର ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

ପ୍ରଶାସନିକ ଅଧିକାରୀ କହୁଛନ୍ତି ଆବଶ୍ୟକ ପଡିଲେ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ସେପଟେ ଜଗତସିଂହପୁର ବିଧାୟକ ଚିରଂଜିବ ବିଶ୍ୱାଳ ଚାଷଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ କହିଛନ୍ତି । ଚାଷୀ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।