ବିଷ୍ଣୁ ଦାସ ରାଜନୀତିରୁ ସନ୍ୟାସ ନେଲେ ବିଜେଡି ପାଇଁ ଭଲ : ରାଜଶ୍ରୀ ମଲ୍ଲିକ । ଜଗତସିଂହପୁର ବିଜେଡିରେ ବିଦ୍ରୋହ

70

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ମଧ୍ୟରେ ଅନେକ ସମୟରେ ବାଗ୍ ଯୁଦ୍ଧ ଲାଗି ରହିଥାଏ । ତେବେ  ଗତକାଲି ପୁଣି ଥରେ ଦାମ ଓ ବିଷ୍ଣୁଙ୍କ ମଧ୍ୟରେ କଳହ ଦେଖାଯାଇଛି । ସ୍ଥିିତି ଏପରି ହୋଇଛି ଯେ, ବିଷ୍ଣୁଙ୍କ ସମର୍ଥକମାନେ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି । କେବଳ ବିବାଦ ଏତିକିରେ ସରିନାହିଁ । କଥା ସିଧା ହାଇକମାଣ୍ଡଙ୍କୁ ଚିଠି ଦେବା ପର୍ଯ୍ୟନ୍ତ ଯାଇଛି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଜଗତସିଂହପୁରରେ ବିଜେଡି କେବଳ ରାଜଶ୍ରୀ ମଲ୍ଲିକ ଓ ଦାମୋଦର ରାଉତଙ୍କ ପାଇଁ ସମ୍ପୂର୍ଣ୍ଣ ଧ୍ୱସଂ ହେବ ବୋଲି କୁହାଯାଇଛି । ତେଣୁ ଦଳର ସଭାପତି ଏହା ଉପରେ ପଦକ୍ଷପେ ନନେଲେ ଜିଲ୍ଲାର ଅନେକ ନେତା ସମୂହ ଇସ୍ତଫା ଦେବେ ବୋଲି କହିଛନ୍ତି । ତେବେ ଗତକାଲି ଜିଲ୍ଲାର ସର୍କିଟ ହାଉସଠାରେ ବିଷ୍ଣୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ପୂର୍ବରୁ ଏହି ବୈଠକ ବିଷୟରେ କାହାକୁ ଜଣାଯାଇ ନଥିଲା ମଧ୍ୟ ।

 

ଏହି ବୈଠକରେ ବିଷ୍ଣୁଙ୍କ ସମର୍ଥକମାନେ ଦାମ ଓ ରାଜଶ୍ରୀଙ୍କୁ କଡା ସମାଲୋଚନା କରିବା ସହ କେବଳ ସେମାନଙ୍କ ପାଇଁ ଜିଲ୍ଲା ବିଜେଡିରେ ଫାଟ ସୃଷ୍ଟି ହେଉଛି ବୋଲି କହିବା ସହ ପୂର୍ବ ନିର୍ବାଚନରେ କଂଗ୍ରେସ ବିଧାୟକ ଚୀରଞ୍ଜୀବିଙ୍କ ସହ ଦାମୋଦର ରାଉତ ମିଶି ବିଷ୍ଣୁଙ୍କୁ ହରାଇଛନ୍ତି ବୋଲି କହିବା ସହ ଦାମୋଙ୍କୁ କଡା ସମାଲୋଚନା କରିଥିଲେ । ତେବେ ବିଷ୍ଣୁ ସଭାରେ ଉପସ୍ଥିତ ଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ଦେଇ ନଥିଲେ । ଏହି ବୈଠକରେ ବିଷ୍ଣୁଙ୍କ ସମର୍ଥକ ମାନେ କହିଛନ୍ତି ଯେ, ବିଧାୟିକା ରାଜଶ୍ରୀ ଜିଲ୍ଲା ସଭାପତିଙ୍କୁ ମାନୁ ନାହାନ୍ତି । ନିଜକୁ ନିଜେ ମହିଳା ସଭାପତି ଭାବରେ ଚିତ୍ରଣ କରୁଛନ୍ତି । ଦଳର ପ୍ରାଥମିକ ସଦସ୍ୟ ନଥିବା ୩ ମହିଳାଙ୍କୁ ପୈାରାଞ୍ଚଳରେ ସଭାପତି କରାଇଛନ୍ତି । ତେଣୁ ଦଳରେ ଏପରି ଭାବରେ ବିବାଦ ଦେଖାଯାଉଥିବାରୁ ଲୋକମାନେ ବିଜେଡି ଉପରେ ପ୍ରଶ୍ନ ଉଠାଇଲେଣି ।

ତେବେ ଏ ସଂକ୍ରାନ୍ତରେ ଦଳର ସଭାପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଜଗତସିଂହପୁର ନିର୍ବାଚନୀ ମଣ୍ଡଳର ନେତାମାନେ ସମୂହ ଇସ୍ତାଫା ଦେବୁ ବୋଲି ଚିଠିରେ ଲେଖିଛନ୍ତି । ଏହି ଘଟଣା ସମ୍ପର୍କରେ ବିଧାୟିକା ରାଜଶ୍ରୀ ମଲ୍ଲିକ କହିଛନ୍ତି ଯେ, “ଯେଉଁ ମାନେ ଚିଠି ଲେଖିଛନ୍ତି ସେମାନେ ବହୁ ପୂର୍ବରୁ ଦଳରୁ ଇସ୍ତାଫା ଦେବାର ରହିଥିଲା । ବିଷ୍ଣୁ ଦାସ ଅନେକ ଦିନ ପୂର୍ବରୁ ରାଜନୀତିରୁ ସନ୍ୟାସ ନେବାର ଆବଶ୍ୟକତା ରହିଛି । ସେମାନେ ଦଳରେ ବିଶୃଙ୍ଖଳା କରିଛନ୍ତି ତେଣୁ ସେମାନଙ୍କ ବିରୋଧରେ ସଭାପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରାଜଶ୍ରୀ ମଲ୍ଲିକ କହିଥିବା ବେଳେ ପାରାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।