ଜଗତପୁର ଲୁଟ ଘଟଣାର ପର୍ଦ୍ଦାଫାସ କଲା କମିସନରେଟ ପୋଲିସ ! ନିଜେ ଲୁଟ କରାଇଥିଲେ ନିଜର ଟଙ୍କା, ପୋଲିସକୁ ଭୁଆଁ ବୁଲାଇବାକୁ ଥାନାରେ ଦେଇଥିଲେ ଏତଲା

41

କନକ ବ୍ୟୁରୋ : ଅଭିଯୋଗ କାରୀ ହିଁ ଲୁଟ ଘଟଣାର ଅଭିଯୁକ୍ତ । କଟକ ଜିଲ୍ଲା ଜଗତପୁର ଅଂଚଳରେ ୨୭ଲକ୍ଷ ଟଙ୍କା ଲୁଟ୍ ଘଟଣାର ଯାଂଚ ପରେ ପୋଲିସ ପାଇଛି ଏପରି ଚାଂଚଲ୍ୟକର ତଥ୍ୟ । ଏବେ ଲୁଟର ମାଷ୍ଟର ମାଇଣ୍ଡ ନଳିନୀ ତ୍ରିପାଠୀ ଓ ତାର ତିନି ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଟଙ୍କା ଆତ୍ମସାତ୍ କରିବା ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତକାରୀ ନଳିନୀ ପୋଲିସକୁ ଭୁଆଁ ବୁଲାଇବାକୁ ଯାଇ ନିଜେ ପୋଲିସ ଜାଲରେ ଫସିଛି । ଜଗତପୁର ଶିଳ୍ପାଂଚଳର ୨୭ ଲକ୍ଷ ଟଙ୍କା ଲୁଟର ପୁରା ଘଟଣା ଏହିପରି । ମାର୍ଚ୍ଚ ୩୧ରେ ଜଗତପୁର ଶିଳ୍ପାଂଚଲରେ ବଡ ଧରଣର ଲୁଟ୍ ହୋଇଥିଲା । ବ୍ୟାଙ୍କରୁ ୨୭ ଲକ୍ଷ ଟଙ୍କା ଉଠାଇ ଫେରୁଥିଲେ ଦୁଗ୍ରା କୋ ପ୍ରାଇଭେଟ ଲିମିଟେଡ କଂପାନୀର ନଳିନୀକାନ୍ତ ତ୍ରିପାଠୀ । ହେଲେ ଶିଳ୍ପାଂଚଳରେ ୨ ଦୁର୍ବୃତ ବାଇକରେ ଆସି ନଳିନୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଇଥିଲେ ।

ଏନେଇ ଅଭିଯୋଗ ହେବା ପରେ ପୋଲିସ ଖୋଳତାଡ ଆରମ୍ଭ କରିଥିଲା । ତେବେ ନଳିନୀର କ୍ଷତଚିହ୍ନକୁ ନେଇ ପୋଲିସର ସନ୍ଦେହ ହେବା ପରେ ପୋଲିସ ଅଧିକ ଖୋଳତାଡ କରିଥିଲା । ଡାକ୍ତରୀ ରିପୋର୍ଟରୁ ଜଣାପଡିଥିଲା ନଳିନୀଙ୍କ ହାତର ଆହତ ଅକସ୍ମାତ ହୋଇଥିବା ହମଲାରୁ ନୁହେଁ, ବରଂ ସଚେତନ ଭାବେ କମ କ୍ଷତି ପହଂଚାଇବାକୁ କରାଯାଇଥିବା ଆକ୍ରମଣ । ଏହି ସୁରାକ ଆଧାର କରି ପୋଲିସ ନଳିନୀ ଠାରୁ ସବୁ ସତ ବାହାର କରି ୨୭ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ କରିଥିଲା ।

ପୂର୍ବରୁ ଟଙ୍କା ଲୁଟ୍ ପାଇଁ ନଳିନୀ ନିଜ ୩ ସାଙ୍ଗଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲା । ଆଉ ଯୋଜନା ମୁତାବକ ଲୁଟ୍ ହୋଇଥିଲା ବୋଲି କହିଛି କମିସନରେଟ ପୋଲିସ । ଟଙ୍କା ଲୁଟ୍ କରି ଅଭିଯୁକ୍ତ ନିଜେ ଅଭିଯୋଗକାରୀ ସାଜି ପୋଲିସ ସାମ୍ନାରେ ଆସି ଘଟଣାକୁ ଭିନ୍ନ ରୁପ ଦେବାକୁ ଉଦ୍ୟମ କରିଥିଲା । ହେଲେ ପୋଲିସ ପୁରା ଘଟଣାର ଖୋଳତାଡ କରି ଅପରାଧୀଙ୍କୁ ଏବେ ଜେଲରେ ପୁରାଇଛି ।