୧୧ଶହ କୋଟି ଋଣ ଘୋଟାଲାରେ ଜଗତଗୁରୁ ସ୍ୱାମୀ ଅରୂପାନନ୍ଦଙ୍କ ନାଁ !୧୭ବର୍ଷ ତଳେ ୨୫ଲକ୍ଷ ଋଣ ନେଇ ଶୁଝି ନଥିବା ଅଭିଯୋଗ

213

କନକ ବ୍ୟୁରୋ : ଜଗତଗୁରୁ ସ୍ୱାମୀ ଅରୂପାନନ୍ଦ । କୁମ୍ଭ ମେଳାରେ ଜଗତଗୁରୁର ଆଖ୍ୟା ପାଇଥିବା ଏହି ଧର୍ମଗୁରୁ ବିବାଦ ଘେରକୁ ଆସିଯାଇଛନ୍ତି । ହଳଦିଆ ବସ୍ତ୍ର ପରିଧାନ କରି ହାତରେ ଧର୍ମଦଣ୍ଡ ଧରି ପ୍ରବଚନ ଦେଉଥିବା ଏହି ସନ୍ନ୍ୟାସୀଙ୍କ ବିରୋଧରେ ଆସିଛି ଘୋଟାଲାର ଅଭିଯୋଗ । କନକ ନ୍ୟୁଜ୍ ହାତରେ ଲାଗିଛି ଏହି ଦସ୍ତାବିଜþ । ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ଅର୍ଥାତ ଓଆରଏଚଡିସିରୁ ଅରୂପା ମିଶନ ରିସର୍ଚ ଫାଉଣ୍ଡେସନ ନାଁରେ କିସ୍ତି କିସ୍ତି କରି ୨୫ଲକ୍ଷ ଟଙ୍କାର ଋଣ ଉଠାଯାଇଛି । ଦୁଇ ହଜାର ମସିହାରେ ଏହି ଋଣ ଉଠାଯାଇଛି । ଆଉ ଅରୂପା ମିଶନ ରିସର୍ଚ ଫାଉଣ୍ଡେସନର ସେତେବେଳେ ଅଧ୍ୟକ୍ଷ ଥିଲେ ସ୍ୱାମୀ ଅରୂପାନନ୍ଦ ।

ଋଣ ନେବାର ପ୍ରଥମ ୨ ବର୍ଷରେ ଅରୂପାନନ୍ଦ କିଛି କିଛି କରି ପ୍ରାୟ ୨ଲକ୍ଷ ଟଙ୍କା ଫେରାଇଲେ । କିନ୍ତୁ ତାପରେ ଚୁପ୍ । ଏହାରି ଭିତରେ ଋଣ ନେବାର ୧୭ ବର୍ଷ ବିତିଗଲାଣି । ଋଣ ନେଇ ସ୍ୱାମୀଜୀ ଭୂଲିଗଲେ । ଏପଟେ ଗାଁର ଗରୀବ ଲୋକଙ୍କୁ ଘର ତିଆରି ଋଣ ଦେବା ପାଇଁ ଉଦ୍ଦିଷ୍ଟ ଓଆରଏଚଡିସି ଦେବାଳିଆ ଅବସ୍ଥାକୁ ଆସିଗଲା । ସଂସ୍ଥାର ୧୧ଶହ କୋଟି ଟଙ୍କା ଋଣ ନେଇ ଲୋକେ ଯେ ଯୁଆଡେ ଚାଲିଗଲେ । ଏବେ ନିଗମ ଏହି ଋଣ ଟଙ୍କା ଆଦାୟ କରିବାକୁ ଅଂଟା ଭିଡିଛି ।

ଓଆରଏଚଡିସି ଅଧ୍ୟକ୍ଷ କହୁଛନ୍ତି ଟଙ୍କା ଆଦାୟ ପାଇଁ ଆଇନଗତ ପଦକ୍ଷେପ ନେବେ ଓ ବନ୍ଧକ ସମ୍ପତ୍ତିକୁ ନିଲାମ କରିବେ । ଜଗତସିଂହପୁରରେ ଥିବା ଏକ ୩ ଏକରର ସମ୍ପତ୍ତିକୁ ବନ୍ଧକ ରଖିଛି ଓଆରଏଚଡିସି । ସେପଟେ ଏହି ଅଭିଯୋଗ ଆସିବାପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାମୀ ଅରୂପାନନ୍ଦ ।

ଅରୂପାନନ୍ଦ ଯୁକ୍ତି ବାଢୁଛନ୍ତି ୱାନ୍ ଟାଇମ୍ ସେଟେଲମେଂଟ୍ ପାଇଁ ସେ ଚିଠି ଲେଖିଥିଲେ ମଧ୍ୟ ନିଗମ ତାହା ଶୁଣିନଥିଲା । କିନ୍ତୁ ୠଣ ନେଇ ବାବା କାହିଁକି ଟଙ୍କା ଶୁଝିଲେ ନାହିଁ ତାହାର କୈାଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାଁନ୍ତି ।