ହଜିଯାଇଛିି ରତ୍ନଭଣ୍ଡାର ଚାବି, ଭଙ୍ଗା ଯାଇପାରେ ଭିତର ଭଣ୍ଡାର ତାଲା !

29

କନକ ବ୍ୟୁରୋ : ବଡ ଦାଣ୍ଡ, ବଡ ଦେଉଳ ଓ ବଡ ଠାକୁରଙ୍କୁ ନେଇ ଲକ୍ଷଲକ୍ଷ ଭକ୍ତଙ୍କ ଭାବାବେଗ ଜଡିତ । ହେଲେ ସେହି ବଡ ଠାକୁରଙ୍କୁ ନେଇ ଯେଉଁ ବଡ ଖବର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ବିସ୍ମିତ କରିଛି । କାରଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମନ୍ଦିର ପ୍ରଶାସନ କହିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ଭଣ୍ଡାରର ଚାବି ହଜିଯାଇଛି । ଆଉ ଚାବି ନମିଳିଲେ ତାଲା ଭାଙ୍ଗିବାକୁ ନିଷ୍ପତି ହୋଇପାରେ । ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଗୋଟିଏ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି ଯେ, ରତ୍ମଭଣ୍ଡାର ଚାବି ଗଲା କୁଆଡେ । ହଜିବା ପଛରେ ଦାୟୀ କିଏ । ଏବଂ ଦୋଷୀଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ।

ଶ୍ରୀମନ୍ଦିର ପରିଚାଳନା କମିଟି ବିବରଣୀରେ ରହିଛି ଲକ୍ଷଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ ବିସ୍ମି୍ତ କଲାଭଳି ତଥ୍ୟ । ଗତ ଏପ୍ରିଲ ୧୭ ତାରିଖରେ ପରିଚାଳନା କମିଟିକୁ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ରିପୋର୍ଟରେ ଯାହା ଲେଖାଥିଲା ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଯେଉଁଥିରେ ଲେଖାଯାଇଛି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତ ଏପ୍ରିଲ ୪ ତାରିଖରେ ଶ୍ରୀମନ୍ଦିର ଭିତର ଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ତଦନ୍ତକାରୀ ଟିମ୍ ତିନିଟି ତାଲାରୁ ଗୋଟିଏର ଚାବି ପାଇନଥିଲେ । ଆଉ ପରିଚାଳନା କମିଟିର ବିନା ଅନୁମୋଦନରେ ତାଲା ଭାଙ୍ଗିବା ଉଚିତ ମନେ କରିନଥିଲେ, ଯେଉଁଥିପାଇଁ କେବଳ ସର୍ଚ୍ଚ ଲାଇଟରେ ବାହାରୁ ଥାଇ ଭିତର ସ୍ଥିତି ଅନୁଧ୍ୟାନ କରି ଫେରିଆସିଥିଲେ ।

ଆହୁରି ଆଶ୍ଚର୍ଯ୍ୟ କରିଛି ପରିଚାଳନା କମିଟିରେ ଶ୍ରୀମନ୍ଦିର ପ୍ରଶାସନ ରଖିଥିବା ପ୍ରସ୍ତାବ । ଶ୍ରୀମନ୍ଦିର ଉପ-ପ୍ରଶାସକ ତଥା ଜିଲ୍ଲାପାଳ କହିଛନ୍ତି, ଟ୍ରେଜେରୀରେ ଥିବା ସମସ୍ତ ରେଜିଷ୍ଟର ସେ ପୁଙ୍ଖାନୁପୁଙ୍ଖ ଭାବେ ଖୋଜିଛନ୍ତି । କିନ୍ତୁ ୧୯୭୦ରୁ ଭିତର ଭଣ୍ଡାର ଚାବି ଜମା ରଖିବା କିମ୍ବା ପରବର୍ତି ସମୟରେ ଭିତର ଭଣ୍ଡାର ଖୋଲିବା ଲାଗି ଟ୍ରେଜେରୀରୁ ଚାବି ଅଣାଯିବାର କୌଣସି ପ୍ରମାଣ ନାହିଁ । ତେଣୁ ପ୍ରଥମ ଚାବି ଭଲଭାବେ ଖୋଜାଯାଉ । ଯଦି ଚାବି ନମିଳେ ତେବେ ଭଣ୍ଡାର ଘର ତାଲା ଭାଙ୍ଗିବା ପାଇଁ ପରବର୍ତି ବୈଠକରେ ନିଷ୍ପତି ହେଉ ବୋଲି ସହମତି ହୋଇଛି । ହେଲେ ସବୁରି ମୂଳରେ ଗୋଟିଏ ପ୍ରଶ୍ନ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି ।
– ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ଭଣ୍ଡାର ଘର ଚାବି ଗଲା କୁଆଡେ?
– ନିୟମ ଅନୁଯାୟୀ ଶ୍ରୀମନ୍ଦିର ଟ୍ରେଜେରୀରେ ଚାବି ରହିଲା ନାହିଁ କାହିଁକି?
– ୩ବର୍ଷରେ ଥରେ ରତ୍ନ ଆଭୁଷଣର ତାଲିକା କରିବାକୁ ନିୟମ ଥିଲେ ବି ହେଲାନାହିଁ କାହିଁକି?
– ଚାବି ହଜାଇଥିବା ଦୋଷୀଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ?

କୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ କାହିଁକି ଭିତର ଭଣ୍ଡାରକୁ ପ୍ରବେଶ କରିନଥିଲେ ଯାଂଚକାରୀ ଦଳ । ଶ୍ରୀମନ୍ଦିର ପ୍ରଶାସନର ସଂକଳ୍ପରେ କୁହାଯାଇଛି ଯେ, ଭିତର ଭଣ୍ଡାରରେ ତିନିଟି ତାଲା ପଡିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନରୁ ଯାଇଥିବା ପୁରୁଣା ଚାବିଗୁଡିକ ଏହି ତାଲାର ନୁହେଁ । ଆଉ ଗ୍ରୀଲ ବାଟେ ସର୍ଚ ଲାଇଟ ପକାଇ ଅନୁଧ୍ୟାନ କାମ ସାରିଥିଲେ ।