ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ବ୍ରହ୍ମାଣ୍ଡ କର୍ତ୍ତା : ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଜି ବାହାରିବ ଆଡପ ଅବଢା

59

କନକ ବ୍ୟୁରୋ: ଆଜିଠାରୁ ବାହାରିବ ଆଡପ ଅବଢା । ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଆଡପ ମଣ୍ଡପକୁ ବିଜେ କରିଛନ୍ତି । ପ୍ରଥମେ ସୁଭଦ୍ରା, ପରେ ବଡଭାଇ ବଳଭଦ୍ର ଏବଂ ପରେ କାଳିଆ ସାଆନ୍ତଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଛି । ବର୍ତ୍ତମାନ ଜନ୍ମବେଦୀରେ ଅଛନ୍ତି ବ୍ରହ୍ମାଣ୍ଡ କର୍ତ୍ତା । ବାହୁଡା ଯାଏ ଚତୁର୍ଦ୍ଧା ମୂର୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ରହିବେ ।

ଆଜିଠାରୁ ଭକ୍ତଙ୍କୁ ଆଡପ ଅବଢା ମିଳିବ । ରଥ ଉପରେ ଦୁଇ ଦିନ ରହିବା ପରେ ଗତକାଲି ସନ୍ଧ୍ୟାରେ ରଥରୁ ଘୋଡା ଫିଟା ଓ ଚାରମାଳ ବନ୍ଧା ନୀତି ପରେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଠାକୁର ବିଜେ କରିଥିଲେ । ପ୍ରବଳ ବର୍ଷା ସତ୍ୱେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିଥିଲା । ସେପଟେ ଆଜି ମହାପ୍ରଭୁଙ୍କର ବନକ ଲାଗି ହେବ । ସେଥିପାଇଁ ରାତି ୮ଟାରୁ ଦର୍ଶନ ବନ୍ଦ ରହିବ ।

ସେପଟେ ଗତକାଲି ଶ୍ରୀମନ୍ଦିର ଗର୍ଭଗୃହ ଯାଂଚ କରାଯାଇଛି । ଆଜିଠାରୁ ନାଟମଣ୍ଡପ, ରୋଷଘର ଓ ଜୟବିଜୟ ଦ୍ୱାରର ମରାମତି କରାଯିବ । ଏଏସଆଇର ୩ଜଣିଆ ଟିମ ଓ ଜିଲ୍ଳାପାଳ ଯାଂଚ କରିବା ପରେ ଏହି ସୂଚନା ଦେଇଛନ୍ତି । କୋର କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜିସି ମିତ୍ରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ୨୦ରୁ ଅଧିକ ବିଶେଷଜ୍ଞ ଶ୍ରୀମନ୍ଦିରର ଯାଂଚ କରିଛନ୍ତି । ସେହିଭଳି ଜଗମୋହନର ପୋର୍ଟାଲ ଫ୍ରେମ୍‌ ଉପଯୁକ୍ତ ଭାର ବହନ କରୁଛି କି ନାହିଁ ଏହାର ଯାଞ୍ଚ ପାଇଁ ଲୋଡ୍‌ସେଲ୍‌ ଦିଆଯିବ। ବିଶେଷଜ୍ଞ ଦଳ ନାଟମଣ୍ଡପର ସ୍ଥିତି ମଧ୍ୟ ଯାଞ୍ଚ କରିଛି। ନାଟମଣ୍ଡପର ପ୍ଲାଷ୍ଟର ସ୍ଥିତି ଠିକ୍‌ ଅଛି କି ନାହିଁ ଆଜିଠାରୁ ତାର ସ୍ଥିତି ମଧ୍ୟ ଯାଞ୍ଚ ହେବ। ଦୁର୍ବଳ ପ୍ଲାଷ୍ଟରକୁ ଛଡାଇ ଦିଆଯିବ। ଅଳ୍ପ ଦୁର୍ବଳ ଥିବା ପ୍ଲାଷ୍ଟର ଉପରେ କେମିକାଲ ପ୍ରଲେପ ଦିଆଯିବ। ଗରୁଡସ୍ତମ୍ଭ ଚାରିପାଖ ଚଟାଣରେ ପଡିଥିବା ପଥର ବାହାର କରାଯାଇ ପୁଣି ପକାଯିବ। ଭୋଗ ମଣ୍ଡପର ନଷ୍ଟ ହୋଇଥିବା ଚଟାଣ ପଥର ବାହାର କରାଯିବ। ଭୋଗମଣ୍ଡପରେ ରହିଥିବା ସ୍ତମ୍ଭକୁ ଏଏସ୍‌ଆଇ କେମିକାଲ ବିଭାଗ ପକ୍ଷରୁ ସଫା କରାଯିବ। ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିର ସ୍ଥିତି କଣ ରହିଛି ସେ ନେଇ ମଧ୍ୟ ଅନୁଧ୍ୟାନ କରାଯିବ। ଏବେ ରୋଷଘର ମହାପ୍ରସାଦ ବନ୍ଦ ରହିଥିବାରୁ ଆସନ୍ତା ୨୪ ତାରିଖ ପୂର୍ବରୁ ରୋଷଘର ଛାତ ଓ ଆବଶ୍ୟକ ମରାମତି କାମ ମଧ୍ୟ ଶେଷ ହେବ।