ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ଅନୁମତିକୁ ଅପେକ୍ଷା ! ହେବନାହିଁ ରତ୍ନ ଆଭୂଷଣର ଆକଳନ, ସ୍ଥିତି ଯାଞ୍ଚ କରିବ ଏଏସଆଇ

49

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ପୁରୀରେ ବସିଥିଲା ରତ୍ନଭଣ୍ଡାର ସବକମିଟି ବୈଠକ । ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ପରିଚାଳନା କମିଟିର ନିଷ୍ପତି ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପରିଚାଳନା କମିଟିର ନିଷ୍ପତି ଓ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କେବଳ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଯାଂଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଜଗମୋହନକୁ ରତ୍ନଭଣ୍ଡାର ଲାଗି ରହିଥିବାରୁ ଏହାର ମରାମତି ଆବଶ୍ୟକ ଅଛି କି ନାହିଁ ତାହା ଅନୁଧ୍ୟାନ କରିବାକୁ ପରିଚାଳନା କମିଟି ପ୍ରସ୍ତାବ ଦେଇଥିଲା । ସେହି ଆଧାରରେ ଆଇନ ଅନୁଯାୟୀ ଭିତର ଭଣ୍ଡାରଘର ଖୋଲିବାକୁ ରାଜ୍ୟ ସରକାରଙ୍କଠୁ ଅନୁମତି ମଗାଯାଇଛି । ତେଣୁ ରାଜ୍ୟ ସରକାରଙ୍କ ଅନୁମତି ମିଳିଲେ କେବଳ ରତ୍ନଭଣ୍ଡାରର ଛାତ ଓ କାନ୍ଥର ସ୍ଥିତି ଅନୁଧ୍ୟାନ କରାଯିବ । ଏଥିପାଇଁ ଛତିଶା ନିଯୋଗ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରି ପରବର୍ତି ପଦକ୍ଷେପ ସ୍ଥିର କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଏପରିକି ରତ୍ନ ଭଣ୍ଡାରରେ ଗଚ୍ଛିତ ଥିବା ସୁନା, ରୁପା ଗହଣା ଓ ମଣିମୁକ୍ତା ଆଦିର କୌଣସି ଆକଳନ କରାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ଏପଟେ ଆଜି ରତ୍ନ ଭଣ୍ଡାରର ବାହାର ଗୃହକୁ ଯାଂଚ କରିଛନ୍ତି ବିଷଶଷଜ୍ଞ ଓ ଶ୍ରୀମନ୍ଦିର କୋର କମିଟି ସଦସ୍ୟ । ତେବେ ଏହି ଯାଂଚ କରିବା ପରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ରତ୍ନ ଭଣ୍ଡାରର ସ୍ଥିତି ଜାଣିବା ପାଇଁ ରତ୍ନ ଭଣ୍ଡାରର ଭିତର ପଟୁ ଯାଂଚ ନିହାତି ଆବଶ୍ୟକ । ନହେଲେ ଏହାର ସ୍ଥିତି ଠିକ୍ ଭାବେ ଜାଣି ହେବନାହିଁ ।

ସେପଟେ ଶ୍ରୀମନ୍ଦିର ରତ୍ନଭଣ୍ଡରରେ କଣସବୁ ସୁନା, ରୁପା ଗହଣା ଓ ମଣିମୁକ୍ତା ରହିଛି ତାହା ରେକର୍ଡଭୁକ୍ତ ଥିବା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗଣମାଧ୍ୟରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ତଥ୍ୟ ଦିଆଯାଉଥିବାରୁ ଏହାକୁ ଖଣ୍ଡନ କରିବା ସହ ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସକୁ ପ୍ରଦର୍ଶିତ କରିଛନ୍ତି । ଯେଉଁଥିରେ ଭିତରଘର ଭଣ୍ଡାର ବାବଦରେ ସମସ୍ତ ତଥ୍ୟ ରହିଛି । ସେହିପରି ୧୯୭୮ରେ ଭିତରଭଣ୍ଡାର ଖୋଲି କରାଯାଇଥିବା ଆକଳନ ସଂପର୍କରେ ଏକ ପୁସ୍ତକରେ ଲିପିବଦ୍ଧ ଥିବା ସେ କହିଛନ୍ତି । ଏଥିସହ କେବଳ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ସମୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଶ୍ରୀମନ୍ଦିର ଆରଓଆର ଆଧାରରେ କିଭଳି ଯାଂଚ କରାଯିବ ସେନେଇ ମନ୍ଦିର ପରିଚାଳନା କମିଟି ଏକ ଏସଓପି ପ୍ରସ୍ତୁତ କରିବ ।