ରାୟଗଡାର ରତ୍ନ ! କାଲିର ଚାଷୀ,ଆଜିର ମନ୍ତ୍ରୀ । ଜଗନ୍ନାଥ କହିଲେ,ମନ୍ତ୍ରୀ ହେଲି, ହେଲେ ଚାଷ ଛାଡିବନି ।

1,081

କନକ ବ୍ୟୁରୋ : ଭାରତୀୟ ଗଣତନ୍ତ୍ରରେ ରହିଛି ସ୍ୱତନ୍ତ୍ରତା । ଅନେକ ସମୟରେ ଅତି ସାଧାରଣ ସ୍ତରର ବ୍ୟକ୍ତିଟିଏ ଯାଇ ବିଧାନସଭା ଓ ସଂସଦରେ ଜନତାଙ୍କ ପ୍ରତିନିଧିତ୍ୱ କରୁଥିବା ଦେଖିବାକୁ ମିଳିଛି । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ବିଷମକଟକର ବିଧାୟକ ଜଗନ୍ନାଥ ସାରକା ସ୍ଥାନ ପାଇବା ପରେ ଏହା ପୁଣି ଥରେ ପ୍ରମାଣିତ ହୋଇଛି ଯେ ଗଣତନ୍ତ୍ରରେ ସବୁ ସମ୍ଭବ ।

ଚାଷ ଜମିରୁ ବିଧାନସଭା । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ । ହାତରେ ଲଙ୍ଗଳ ଧରି ଚାଷ ଜମିରେ ହଳ କରୁଥିବା ବ୍ୟକ୍ତି ଆଜି ରାଜ୍ୟର ନୂଆ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜଗନ୍ନାଥ ସାରକା । ବିଷମକଟକ ଆସନରୁ ବିଧାୟକ ଭାବେ ନିର୍ବାଚିତ । ଗତ କିଛି ଦିନ ପୂର୍ବେ ଜଗନ୍ନାଥଙ୍କୁ ନେଇ ଏମିତି କିଛି ଚିତ୍ର ଆସିଥିଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଆଜି କାଲି ଯେତେବେଳେ ନେତାମାନେ ଏସି ଗାଡିରୁ ତଳକୁ ବାହାରିବାକୁ କୁଣ୍ଠାବୋଧ କରୁଛନ୍ତି ସେଭଳି ସ୍ଥଳେ ଜଗନ୍ନାଥଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । ବିଧାୟକ ହୋଇଥିଲେ ମଧ୍ୟ ଧୁ ଧୁ ଖରାରେ ଜଗନ୍ନାଥଙ୍କୁ ଚାଷ ବିଲରେ ଦେଖିବାକୁ ମଳିଥିଲା । ମୁଣ୍ଡରେ ଠେକି ଓ ହାତରେ ପାଞ୍ଚଣ ଓ ତା’ ସାଙ୍ଗକୁ କାନ୍ଧରେ ଥିଲା ହଳ ଲଙ୍ଗଳ । ଭୁବନେଶ୍ୱରର ଏସି ରୁମକୁ ଛାଡି ବିଲରେ ଝାଳ ବୁହାଉଥିଲେ ବିଧାୟକ ଜଗନ୍ନାଥ ସାରକା । ବିଧାନସଭାର ନାଲି କାର୍ପେଟ ଅପେକ୍ଷା କାଦୁଅ ପଚପଚ କ୍ଷେତରେ ହଳ କରୁଥିବାର ଦେଖିବାକୁ ମିଳିଥିଲା । ଏକା ସମୟରେ ରାଜନୀତି ଓ ଚାଷନୀତି କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ଜଗନ୍ନାଥ । ଚାଷୀଙ୍କୁ ନେଇ ରାଜନୀତି ନୁହେଁ ବରଂ ଚାଷୀଙ୍କ କାନ୍ଧରେ କାନ୍ଧ ମିଳାଇ ସେ ନେତା ହୋଇପାରିଛନ୍ତି ବୋଲି କହି ଆସିଛନ୍ତି ଜଗନ୍ନାଥ ।

କିଛି ଦିନ ପୂର୍ବେ କାଦୁଅ ପଚ ପଚ ବିଲରେ ଚାଷ କରୁଥିବା ଜଗନ୍ନାଥ ସାରକା ଆଜି ରାଜ୍ୟର ଆଦିବାସୀ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ମନ୍ତ୍ରୀଭାବେ ଶପଥ ନେବା ପରେ ଜଗନ୍ନାଥଙ୍କୁ ପୁଣିଥରେ ଚାଷ ଜମିରେ ଦେଖିବାକୁ ମିଳିବ କି ନାହିଁ ପ୍ରଶ୍ନରେ କହିଛନ୍ତି, ସେ ଚାଷୀ ପରିବାରରୁ ଆସିଛନ୍ତି । ଚାଷ ତାଙ୍କର ମୂଳ ବେଉସା । ତେଣୁ ଏହାକୁ କିଭଳି ସେ ଛାଡିପାରିବେ । ଏପରିକି ଚାଷ କାର୍ଯ୍ୟ କରିବାକୁ ଯେଉଁମାନେ ଲାଜ କରୁଛନ୍ତି ସେମାନଙ୍କୁ ପରାମର୍ଶ ଦେବାକୁ ଯାଇ ଜଗନ୍ନାଥ କହିଛନ୍ତି, ଚାଷ କାମ କରିବାରେ ଲାଜ କାହିଁକି ଲାଗିବ । ଯିଏ ନିଜର କାମ କରିବାକୁ କୁଣ୍ଠାବୋଧ କରିବ ସେ କେବେ ଜୀବନରେ ଆଗକୁ ଯାଇପାରିବ ନାହିଁ ।

ଜଗନ୍ନାଥ ସାରକାଙ୍କ ଏହି ୨ଟି ରୂପକୁ ଯିଏ ଦେଖିଛି ସେ ଆଶ୍ଚର୍ଯ୍ୟ ହୋଇଛି । କାରଣ ବିଧାୟକ ଥିବା ଜଗନ୍ନାଥଙ୍କୁ ଚାଷ ଜମିରେ ଦେଖିଲେ ଅନେକ ନିଜକୁ ବିଶ୍ୱାସ କରିପାରନ୍ତି ନାହିଁ । କିନ୍ତୁ ଏହା ହିଁ ହେଉଛି ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ । ମନ୍ତ୍ରୀ ହେବା ପରେ ଏହାକୁ ସ୍ୱୀକାର କରିଛନ୍ତି ନିଜେ ଜଗନ୍ନାଥ । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ବିଷମକଟକର ବିଧାୟକ ଜଗନ୍ନାଥ ଯୁବପୀଢ଼ି ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ଆଧୁନିକତାର ଚାକଚକ୍ୟରେ ଯୁବପୀଢ଼ି ଚାଷ ପ୍ରତି ମୁହଁ ମୋଡି ଚାଲିଯାଉଥିବାବେଳେ ଜଗନ୍ନାଥ କହିଛନ୍ତି ଚାଷ ତାଙ୍କର ବୃତି ହୋଇଥିବାରୁ ସେ ଯେଉଁଠି ରହିଲେ ବି ଏହା କରିବାରେ କୁଣ୍ଠାବୋଧ ନାହିଁ ।