ବାତ୍ୟା ପରେ ବଡଦେଉଳରୁ ବାହାରିଲା ଜଗା: ଭକ୍ତଙ୍କୁ ଦେଖିଲା, ଭାବବିହ୍ୱଳ ହେଲା…

221

କନକ ବ୍ୟୁରୋ: ଫେରିଯାଇଛି ଫୋନି, ପଡି଼ରହିଛି ପ୍ରଳୟର ପଦଚିହ୍ନ । ଫୋନି ଫେରି ଯିବାକୁ ପଇଁଚାଳିଶ ଦିନ ବିତିଲାଣି । ଆଉ ୟାରି ଭିତରେ ଫୋନିର କ୍ଷତ ପୁରୀ ଛାତିରେ ଧିରେ ଧିରେ ଭରିବାକୁ ଲାଗିଲାଣି । ପ୍ରଭୁଙ୍କ ଦୟା ଓ ପ୍ରଶାସନର ପ୍ରାଣମୂର୍ଚ୍ଛା ଉଦ୍ୟମ କାରଣରୁ ପୁରୀ ଏବେ ଅଣ୍ଟା ସଳଖି ସିଧା ହେବାକୁ ବଳ ପାଇଲାଣି । ହେଲେ ଏଇ ୪୫ ଦିନରେ ଭିତରେ କେମିତି ଅଛି ଶ୍ରୀକ୍ଷେତ୍ର, କେମିତି ଅଛି ବଡଦାଣ୍ଡ ଆଉ କେମିତି ଅଛନ୍ତି ତା ପ୍ରିୟ ଭକ୍ତଗଣ ? ସୁଖଦୁଃଖ ବୁଝିବାକୁ , ସାମ୍ନାସାମ୍ନି ଭେଟିବାକୁ ଆଜି ପ୍ରଥମ ଥର ପାଇଁ ଦେଉଳ ବାହାରକୁ ଆସି ସ୍ନାନବେଦୀରେ ବସିଛି ଜଗା ।


ପୁରୀରେ ଫୋନି ପ୍ରଳୟ ରଚିବାର ୪୫ ଦିନ ପରେ ଆଜି ପ୍ରଥମ ଥର ପାଇଁ ସ୍ନାନ ବେଦୀରୁ ଶ୍ରୀକ୍ଷେତ୍ରକୁ ଦେଖୁଛନ୍ତି କାଳିଆ ସାଆନ୍ତ । ବତ୍ୟା ପରେ ପୁରୀର ଛାଇହୀନ ଚିତ୍ରକୁ, ଭାଙ୍ଗି ଯାଇଥିବା ଘରକୁ ନିଜ ଚକା ଆଖିରେ ଘନଘନ ଦେଖୁଛି ନଟ ନାଗର । ବାତ୍ୟା ପରେ ଉଜୁଡି ଯାଇଥିବା ସ୍ୱପ୍ନ, ମାଟିରେ ମିଶି ଯାଇଥିବା ସମ୍ପତ୍ତି ଆଉ ଭାତ ଗୁଣ୍ଡେ ପାଇଁ ଆଉଟୁ ପାଉଟୁ ହୋଉଥିବା ଭୋକିଲା ମଣିଷର ଭୋ ଭୋ ଚିକ୍ରାର ଆଜି କାନ ଖୋଲା କରି ଶୁଣୁଛି ଭାବ ବିନୋଦିଆ । ଭକ୍ତଙ୍କ ଦୁଃଖ, ଭୋକ ଆଉ ଯନ୍ତ୍ରଣାକୁ ଖାଲି ଆଖିରେ ଦେଖି ଭାବବିହ୍ୱଳ ହୋଇଛନ୍ତି ଜଗନ୍ନାଥ । ଆଉ ଭକ୍ତଙ୍କ କଷ୍ଟକୁ ଅନୁଭବ କରି ବୋଧେ କାନ୍ଦିଥିବେ କାଳିଆ ସାଆନ୍ତ ଯାହା ସ୍ନାନ କରିବା ବେଳେ ୩୫ ଗରା ସୁବାସିତ ଜଳରେ ଏକାକାର ହୋଇଯାଇଛି ।

ସେଦିନ ବାତ୍ୟାର ବିକଟାଳ ରୂପକୁ ବଡ ଦେଉଳ ଭିତରେ ରହି ଦେଖିଥିଲା ଚକାଆଖି । ଫୋନିର କରାଳ ରୂପ ଆଉ ଛାତିଥରା ତାଣ୍ଡବକୁ ଛାତି ପତେଇ ସହି ଯାଇଥିଲେ କାଳିଆ ସାଆନ୍ତ । ସେଇଥି ପାଇଁ ତ ଫୋନି ପାଟିରେ ପୁରୀ ପଶି ଯିବା ଆଗରୁ ବର୍ତ୍ତି ଯାଇଥିଲା । ରତ୍ନବେଦୀରେ ରହି ଦୁଃଖିରଙ୍କିଙ୍କ ସବୁ ଦୁଃଖ ଦେଖିଥିଲା ଚକାଡୋଳା । ଆଉ ଆଜି ପ୍ରଥମ ଥର ପାଇଁ ଦେଉଳ ବାହାରୁ ବାହାରି ଦୁର୍ଦ୍ଦିନର ଚିତ୍ର ଦେଖିଲା ଜଗା । ସ୍ନାନ ପରେ ଆଉ ଜର ହେବା ପରେ ୧୪ ଦିନ କାଳ ଏଇ ଚିତ୍ରକୁ ଦେଖିବ ଜଗା, ଜରରେ କମ୍ପି କମ୍ପି ଭକ୍ତଙ୍କ କଷ୍ଟକୁ ଅନୁଭବ କରିବ କାଳିଆ ସାଆନ୍ତ ।