ଜଗନ୍ନାଥଙ୍କୁ ହୁଏ ସତସତିକା ଜ୍ୱର: ଏକଦା ଥର୍ମୋମିଟରରେ ମାପି ପ୍ରମାଣ ଦେଖାଇଥିଲେ ସେବାୟତ, ଅନୁଭୂତି ବଖାଣିଲେ ସୂର୍ଯ୍ୟନାରାୟଣ ରଥଶର୍ମା

240

କନକ ବ୍ୟୁରୋ : ଜଗତର ଜଗନ୍ନାଥ । ଭାବର ଠାକୁର କାଳିଆ । କାଳ କାଳ ଧରି କାଳିଆ ସାଆନ୍ତ ଶ୍ରୀମନ୍ଦିରରେ ଲୀଳା କରି ଆସୁଛନ୍ତି । ରତ୍ନବେଦୀରେ ବସି ପୂରା ବିଶ୍ୱକୁ ଚଳାଉଛନ୍ତି କାଳିଆ ଠାକୁର । ଜଗାର ଟିକିଏ ଝଲକ ପାଇବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଧାଇଁ ଆସିଥାନ୍ତି ଭକ୍ତ । ଜଗନ୍ନାଥଙ୍କ ଅଲୌକିକ ଗାଥା ଅନେକଙ୍କୁ ବିସ୍ମିତ କରିଥାଏ । ଏଭଳି ଅନେକ ଭକ୍ତ ଅଛନ୍ତି ଯେଉଁମାନେ ଜଗନ୍ନାଥଙ୍କ ଅଲୌକିକତାକୁ ସ୍ୱଚକ୍ଷୁରେ ଦେଖିଛନ୍ତି ଏବଂ ଅନେକ ଅନୁଭୂତି ସାଉଁଟିଛନ୍ତି । ଆଉ ସେହିଭଳି ଜଗନ୍ନାଥଙ୍କ ଅନୁଭୂତି ସାଉଁଟିଥିବା ଭକ୍ତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମା । କନକ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ ଜଗନ୍ନାଥଙ୍କୁ ନେଇ ଅନୁଭୂତି ବଖାଣିଛନ୍ତି ।

ବିଶ୍ୱର ଜୀବନ୍ତ ଠାକୁର ହେଉଛନ୍ତି ଜଗନ୍ନାଥ । ମଣିଷ ଭଳି ଜଗନ୍ନାଥଙ୍କର ମଧ୍ୟ ସମସ୍ତ ପ୍ରକାର ସେବା କରାଯାଇଥାଏ । ସାଧାରଣ ମଣିଷ ଭଳି ମହାପ୍ରଭୁଙ୍କୁ ମଧ୍ୟ ଗରମ ହୋଇଥାଏ, ଜ୍ୱର ହୋଇଥାଏ, ଚିକିତ୍ସା କରାଯାଇଥାଏ । ବୈଜ୍ଞାନିକ ଯୁଗରେ ଅବଶ୍ୟ କିଛି ଲୋକ ହୁଏତ ଏକଥାକୁ ବିଶ୍ୱାସ ନ କରି ପାରନ୍ତି । କିନ୍ତୁ ଯିଏ ଜଗନ୍ନାଥଙ୍କ ଅଲୌକିକତ୍ରାୁ ଅନୁଭବ କରିଛି ସେ ହିଁ ଜାଣିଛି ଜଗନ୍ନାଥ ହେଉଛନ୍ତି ବାସ୍ତବରେ ଜୀବନ୍ତ ଠାକୁର । ସୂର୍ଯ୍ୟନାରାୟଣ ରଥଶର୍ମା ଅନୁଭୂତି ବଖାଣିବା ସହ କହିଛନ୍ତି ଯେ, ଜଗନ୍ନାଥ ଜୀବନ୍ତ ଠାକୁର ଏହାର ଅନେକ ପ୍ରମାଣ ରହିଛି । ବୈଶାଖ ମାସରେ ଯେତେବେଳେ ଗରମରେ ଲୋକମାନେ ତଡପ,ହଡପ ହୋଇଥାନ୍ତି ସେତେବେଳେ ଜଗନ୍ନାଥଙ୍କୁ ମଧ୍ୟ ଗରମ ହୋଇଥାଏ । ଜଗନ୍ନାଥଙ୍କ ଶ୍ରୀମୁଖରୁ ଝାଳ ବାହାରିଥାଏ । ଏକଥା ସମସ୍ତେ ଜାଣି ପାରନ୍ତି ନାହିଁ କିନ୍ତୁ ଯେଉଁମାନେ ଜଗନ୍ନାଥଙ୍କ ସହ ଯୋଗସୁତ୍ର କରିଛନ୍ତି ସେହିମାନେ ହିଁ ଏହି କଥାକୁ ଜାଣି ପାରିବେ ।

ଶ୍ରୀମନ୍ଦିର ମଧ୍ୟରେ ଥରେ ଜଣେ ଭକ୍ତ ତାଙ୍କୁ ଜଗନ୍ନାଥଙ୍କ ଶ୍ରୀମୁଖରୁ ସତରେ କଣ ଝାଳ ବାହାରେ ବୋଲି ପଚାରିଥିଲେ । ଭକ୍ତଙ୍କ କଥାରେ ହଁ ଭରିଥିଲେ ରଥଶର୍ମା ।ଭକ୍ତ ଜଣକ କହିଥିଲେ ମହାପ୍ରଭୁଙ୍କ ଶ୍ରୀମୁଖରୁ ଯଦି ଝାଳ ବାହାରୁଛି ତାହା ଆପଣ ଦେଖାଇ ପାରିବେ । ଏହାର ଉତ୍ତରରେ ସୁର୍ଯ୍ୟ ନାରାୟଣ ରଥଶର୍ମା କହିଥିଲେ, ମହାପ୍ରଭୁଙ୍କ ଶ୍ରୀମୁଖରୁ ଝାଳ ବାହାରୁଥିବାର ପୂରା ଅନେକ ପ୍ରମାଣ ରହିଛି । ବୈଶାଖରେ ଗରମ ଦିନେ ଯେତେବେଳେ ମହାପ୍ରଭୁ ଫୁଲ ନାକୁଆସି ନାକଚଢା ପିନ୍ଧନ୍ତି ସେତେବେଳେ ମହାପ୍ରଭୁଙ୍କ ଶ୍ରୀମୁଖରୁ କଳା ରଙ୍ଗ ଓ ଧଳା ରଙ୍ଗ ବୋହି ଯାଇ ନାକୁଆସି ଓ ନାକଚଢାରେ ଲାଗି ଯାଇଥାଏ । ଯାହାକୁ ଜଣେ ଭକ୍ତ ଦେଖିଲେ ହିଁ ଜାଣିପାରିବ । ଏହାଛଡ଼ା ଗରମରେ ଝାଳ ବାହାରିଲେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପୋଛା ଯାଇଥାଏ । ତାହା ହିଁ ଦର୍ଶାଇଥାଏ ମହାପ୍ରଭୁ ହେଉଛନ୍ତି ଜୀବନ ଠାକୁର ।

କେବଳ ମହାପ୍ରଭୁଙ୍କ ଶ୍ରୀମୁଖରୁ ଝାଳ ବାହାରିନଥାଏ ଜ୍ୱର ମଧ୍ୟ ହୋଇଥାଏ । ଏହାର ଅନୁଭୂତି ମଧ୍ୟ ବଖାଣିଛନ୍ତି ସୂର୍ଯ୍ୟନାରାୟଣ । ୧୫ରୁ ୨୦ ବର୍ଷ ପୂର୍ବେ ସାଙ୍ଗସାଥୀଙ୍କ ମେଳରେ ବସିଥିବା ବେଳେ ମହାପ୍ରଭୁଙ୍କ ଜ୍ୱର ହେଲାଣି କହି ଉଠି ଆସୁଥିବା ବେଳେ ଅଧିକାଂଶ ଲୋକ ହସିଥିଲେ । ପଚାରିଥିଲେ କଣ ସତରେ ମହାପ୍ରଭୁଙ୍କୁ ଜ୍ୱର ହୁଏ । କିଛି ଲୋକ ଏହି କଥାକୁ ତାତ୍ସଲ୍ୟ କରି କହିଥିଲେ । ଏହା ମୋତେ ବହୁତ ବାଧିଥିଲା ଏବଂ ଏହାକୁ ମୁଁ ବରଦାସ୍ତ କରି ପାରିନଥିଲି । ମହାପ୍ରଭୁଙ୍କୁ ଜ୍ୱର ହୁଏ ବୋଲି ଜଣାଇବା ପାଇଁ ତାଙ୍କୁ ସାଥୀରେ ଧରି ଶ୍ରୀମନ୍ଦିର ଅଭିମୁଖେ ବାହାରିଲି । ବାଟରେ ଏକ ଔଷଧାଳୟରୁ ଥର୍ମୋମିଟର କିଣାଗଲା । ଥର୍ମୋମିଟରରେ ଜ୍ୱର ମପା ହେବ ବୋଲି ଏହାକୁ ସାଙ୍ଗରେ ନେଇଥିଲୁ । ସାଧାରଣତଃ ଅଣସର ଘରକୁ ଯିବା ପୂର୍ବରୁ ମହାପ୍ରଭୁଙ୍କ କାଖ ତଳେ ହାତ ଦେଲେ ହାତ ତାତି ଯାଇଥାଏ ଏବଂ ମହାପ୍ରଭୁଙ୍କ ଦେହରେ ଲାଗି ହୋଇଥିବା ଫୁଲ ସ ତୁଳସୀ ମାଳ ମଧ୍ୟ ଗରମ ହୋଇଯାଇଥାଏ । ତେବେ ମହାପ୍ରଭୁଙ୍କୁ ଜ୍ୱର ହୁଏ କି ନାହିଁ ତାହା ସେମାନଙ୍କୁ ଜଣାଇବା ପାଇଁ ଠାକୁର ଅଣସର ଘରକୁ ଯିବା ପୂର୍ବରୁ ସେଠାରେ ପହଞ୍ଚିଥିଲୁ ।

jagannath 3ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଜଗନ୍ନାଥଙ୍କ ଶ୍ରୀଅଙ୍ଗ ଲାଗି ସେବକ ତଥା ଦଇତାପତି ଲୋକନ ଦାଶଙ୍କୁ ଗୁପ୍ତ ଭାବରେ ଭେଟି ପୂରା କଥା କହିଥିଲି । ଏପରିକି ଜଗନ୍ନାଥଙ୍କୁ ଜ୍ୱର ହୁଏ ବୋଲି ସେମାନଙ୍କୁ ବିଶ୍ୱାସ କରାଇବା ପାଇଁ ଥର୍ମୋମିଟର ମଧ୍ୟ ସାଙ୍ଗରେ ଆଣିଥିଲେ ବୋଲି କହିଥିଲେ ସୂଯ୍ୟନାରାୟଣ । ଏହା ଶୁଣିବା ପରେ ଦଇତାପତି ସେବକ ଲୋକନ ଦାଶ ଜଗନ୍ନାଥଙ୍କୁ ଜ୍ୱର ହୁଏ ବୋଲି ଶୁଣିବା ପରେ ତାତ୍ସଲ୍ୟ କରିଥିବା ବ୍ୟକ୍ତିଙ୍କୁ ସାଙ୍ଗରେ ନେଇଥିଲେ । ତାଙ୍କ ହାତରେ ଥର୍ମୋମିଟର ଦେଇ ଜଗନ୍ନାଥଙ୍କ ବାହୁ ତଳେ ଗୋଟିଏ ମିନିଟ ରଖିବାକୁ କହିଥିଲେ । ଆଉ ଗୋଟିଏ ମିନିଟ ପରେ ଥର୍ମୋମିଟରର ପାରଦ ପୂରା ଶେଷରେ ପହଞ୍ଚିଥିବା ଦେଖିବାକୁ ପାଇଥିଲେ । ଆଉ ସେହିଠାରେ ହିଁ ଉକ୍ତ ବ୍ୟକ୍ତି ଜଣକ ସାଷ୍ଟାଙ୍ଗ ପ୍ରଣିପାତ କରିବା ସହ ବିଶ୍ୱାସ କରିଥିଲେ କି ପ୍ରକୃତରେ ଜଗନ୍ନାଥଙ୍କୁ ଜ୍ୱର ହୁଏ ଓ ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଠାକୁର । ପ୍ରତି ମୂହୁର୍ତ୍ତରେ ଜଗନ୍ନାଥ ମହାପ୍ରଭୁ ଶ୍ରୀମନ୍ଦିରରେ ଲୀଳା କରୁଛନ୍ତି । ତାଙ୍କ ଆଖିରେ ଆଖି ମିଳାଇଲେ ହିଁ ଜାଣି ପାରିବେ ଜଗନ୍ନାଥ ମହାପ୍ରଭୁ ଚକାଡୋଳା ବୁଲାଇ ଥାଆନ୍ତି ବୋଲି କହିଛନ୍ତି ସୂର୍ଯ୍ୟନାରାୟଣ ।